ପାଣି କମିଲା ମନ୍ଦିର ଦିଶିଲା । ନୟାଗଡ ପଦ୍ମବତ ନିକଟ ମହାନଦୀ ପାଣି ଭିତରେ ଦିଶୁଛି ମନ୍ଦିରର ଚୂଡା, ୫ ଶହ ବର୍ଷ ତଳର ହୋଇଥିଲା ଅନୁମାନ

10,670

କନକ ବ୍ୟୁରୋ : ସମୟ ସ୍ରୋତରେ ବଦଳିଛି ପୃଥିବୀ । ବଦଳିଛି ମଣିଷର ଜୀବନଶୈଳୀ । ଆଉ ବଦଳିଛି ଜନବସତିର ଭୌଗଳିକ ସ୍ଥିତି । ଅନ୍ୟ ଭଳି ମହାନଦୀ ମଧ୍ୟ ତାର ଗତିପଥ ବଦଳାଇଛି । ଗତିପଥ ପରିବର୍ତନ ଯୋଗୁଁ କେଉଁଠି ନଦୀଗର୍ଭରେ ଗାଁ ଲୀନ ହୋଇଛି ଗାଁ, ତ ଆଉ କେଉଁଠି ସୃଷ୍ଟି ହୋଇଛି ନୂଆ ଜନବସତି । ନୟାଗଡ ପଦ୍ମାବତ ଦେଇ ଅତିକ୍ରମ କରିଥିବା ମହାନଦୀ ଗର୍ଭରୁ ପ୍ରାଚୀନ ମନ୍ଦିରର ଅସ୍ଥିତ୍ୱ ମିଳିବା ପରେ ସାମନାକୁ ଆସିଛି ଏଭଳି ତଥ୍ୟ । ଆପଣଙ୍କ ଟିଭି ସ୍କ୍ରିନରେ ଥିବା ଏହି ଦୃଶ୍ୟ ହେଉଛି ନୟାଗଡ ପଦ୍ମବତ ନିକଟ ମହାନଦୀର । ନଦୀ ଭିତରେ ଦେଖାଯାଉଛି ଏକ ପ୍ରାଚୀନ ମନ୍ଦିରର ଚୂଡା । ମହାନଦୀ ଗର୍ଭରେ ଥିବା ଏହି ମନ୍ଦିର ସଂପର୍କରେ ଗ୍ରାମାବାସୀମାନେ କହନ୍ତି ଏହା ହେଉଛି ଗୋପିନାଥ ମନ୍ଦିର ।

ପୂର୍ବରୁ ଏଠାରେ ରହିଥିବା ଏକ ବିରାଟ ଜନବସତିରେ ଲୋକମାନେ ଏହିଭଳି ଅନେକ ମନ୍ଦିର ପ୍ରତିଷ୍ଠା କରାଇ ପୂଜା କରିଆସୁଥିଲେ । ଗୋସିଂହ ନାମରେ ଏକ ଦୈତ୍ୟର କବଜାରେ ରହିଥିବା ଏହି ଗାଁକୁ ଦୈତ୍ୟର ପତ୍ନୀ ପଦ୍ମାବତୀ ନାମାନୁସାରେ ନାମକରଣ କରାଯାଇଥିଲା । ଏଠାରେ ୨୦ ରୁ ଅଧିକ ଛୋଟବଡ ମନ୍ଦିରର ପ୍ରତିଷ୍ଠା କରାଯାଇଥିଲା । ସବୁଠାରୁ ଉଚ ଗୋପିନାଥଙ୍କ ମନ୍ଦିରର ଉଚତା ୬୦ ଫୁଟରୁ ଅଧିକ ରହିଥିଲା । ସମୟକ୍ରମେ ନଦୀର ଧାର ପରିବର୍ତନ ହେଉ କିମ୍ବା ଆକାର ବୃଦ୍ଧି ହେଉ ସେହି ଗାଁ ନଦୀଗର୍ଭରେ ଲୀନ ହୋଇଗଲା । ସେଠାରୁ ଜନବସତି ଉଠିଆସି ନିକଟରେ ଏକାଧିକ ଗାଁ ସ୍ଥାପନ କରିଥିଲେ । ହେଲେ ନଦୀରେ ପାଣି କମିବା ପରେ ଏହି ପ୍ରାଚୀନ କୀର୍ତି ସାମନାକୁ ଆସିଛି ।