ପାଣି ପାଇଁ ଆଉ ଛଟପଟ ହେବେନି ଭୁବନେଶ୍ୱରବାସୀ ! ‘ଫୋନି’ ପରେ ଜଳ ଯୋଗାଣ ନେଇ ରାଜ୍ୟ ସରକାରଙ୍କ ତତ୍ପରତା ।

172

କନକ ବ୍ୟୁରୋ: ‘ଫୋନି’ ପ୍ରକୋପରେ ପାଣି ପାଇଁ ଆଉଟୁ ପାଉଟୁ ହେଉଥିବା ଭୁବନେଶ୍ୱରବାସୀଙ୍କୁ ଟିକେ ଆଶ୍ୱସ୍ଥି ମିଳିଛି । କାରଣ ପଳାଶୁଣି ଓ ଭୁଆଶୁଣି ଦୁଇଟି ଉତ୍ସରୁ ସହରକୁ ୪୦ ପ୍ରତିଶତ ଜଳ ଯୋଗାଣ ହେଉଥିବା ବେଳେ ଏହା ବାତ୍ୟା ‘ଫୋନି’ ପ୍ରଭାବରେ ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ଅଚଳ ହୋଇପଡ଼ିଥିଲା । ଯାହାକୁ ଏବେ ଡ଼ି.ଜି ସେଟ୍ ମାଧ୍ୟମରେ ବିଦ୍ୟୁତ୍ ଯୋଗାଣ କରାଯାଇ ସହରବାସୀଙ୍କୁ ଜଳ ଯୋଗାଣ କରାଯାଉଛି ।

ଭୁବନେଶ୍ୱର ସହରରେ ଜଳ ଯୋଗାଣ ପୁର୍ନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ତରପଫରୁ ସମସ୍ତ ଉଦ୍ୟମ ଜାରି ରହିଛି । କାରଣ ଭୁବନେଶ୍ୱର ସହରକୁ ମୁଖ୍ୟତଃ ୩ ଟି ଉତ୍ସରୁ ଜଳ ଯୋଗାଣ କରାଯାଇଥାଏ । ସେଥି ମଧ୍ୟରୁ ପଳାଶୁଣି, ଓ ଭୁଆଶୁଣି ଉତ୍ସରୁ ୪୦ ପ୍ରତିଶତ ସହରବାସୀ ଉପକୃତ ହୋଇଥାନ୍ତି । ଏହାକୁ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଉଦ୍ୟମରେ ଡ଼ି.ଜି ସେଟ୍ ଦ୍ୱାରା କାର୍ଯ୍ୟକ୍ଷମ କରାଯାଉଛି ।

ଅନ୍ୟପଟେ ମୁଣ୍ଡଳୀ ଉତ୍ସ ଯାହାକି ଭୁବନେଶ୍ୱର ସହରର ଶତକଡ଼ା ୬୦ ଭାଗ ଜନତାଙ୍କୁ ଜଳ ଯୋଗାଇଥାଏ, ସେଠାରେ ମଧ୍ୟ ‘ଫୋନି’ ବାତ୍ୟା ଦ୍ୱାରା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା । ତେଣୁ ଏଠାରେ ମଧ୍ୟ ଡ଼ି.ଜି ସେଟକୁ ମରାମତି କରି ଦୁଇ ଜଣ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀ କଲିକତାରୁ ଆସି ପହଁଚିଛନ୍ତି । ଏବଂ ମରାମତି କାର୍ଯ୍ୟ ଜରୁରୀକାଳୀନ ଭିତ୍ତିରେ ଚାଲୁ ରହିଛି । ଏହାସହ ଭୁବନେଶ୍ୱର ସହରରେ ୭୮ଟି ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ କରାଯାଉଛି । ଏପରିକି ୩ ହଜାର ୪୩୩ଟି ନଳକୂପ କାର୍ଯ୍ୟକ୍ଷମ ଥିବାରୁ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ପାଇପାରୁଛନ୍ତି । ରାଜ୍ୟ ସରକାର ଏବଂ ବିଏମସି ଓ ବିଡ଼ିଏ କର୍ତ୍ତୁପକ୍ଷଙ୍କ ଦ୍ୱାରା ବାକି ଥବା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।