ଗଙ୍ଗ କେନାଲର ମରାମତି କାମ କରାଯାଉଥିବାରୁ ପୂର୍ବ ଓ ଦକ୍ଷିଣ ଦିଲ୍ଲୀରେ ଜଳ ଯୋଗାଣ ପ୍ରଭାବିତ ହେବାକୁ ଯାଉଛି

1,260

କନକ ବ୍ୟୁରୋ : ଜଳ ଯୋଗାଣକୁ ନେଇ କିଛିଦନ ପାଇଁ ଦିଲ୍ଲୀ ଏନସିଆର ଅଞ୍ଚଳରେ ହାହାକାର ଦେଖା ଦେବ । ଦିଲ୍ଲୀ ଏନସିଆରକୁ ଜଣ ଯୋଗାଣ କରୁଥିବା ଗଙ୍ଗା କେନାଲର ମରାମତି କାମ ଆରମ୍ଭ ହୋଇଥିବାରୁ ଜଳ ଯୋଗାଣ ପ୍ରଭାବିତ ହେବାକୁ ଯାଉଛି । ପ୍ରତିବର୍ଷ ଉତ୍ତରାଖଣ୍ଡ ସରକାର ଏହି କେନାଲର ମରାମତି କରାଇଥା’ନ୍ତି । ଏହି କାରଣରୁ ଦିଲ୍ଲୀ ଏନସିଆର ଅଞ୍ଚଳରେ ରହୁଥିବା ଲୋକମାନେ ଅସୁବିଧାରେ ପଡି ପାରନ୍ତି । ଦିଲ୍ଲୀ ସରକାର କହିଛନ୍ତି କି ଗୋଟଏ ସ୍ଥାନରୁ ଜଳ ଯୋଗାଣ ପ୍ରଭାବିତ ହେବାକୁ ଥିବା ବେଳେ ସେ ଅନ୍ୟ ସ୍ଥାନରୁ ଜଳ ଯୋଗାଣ କରିବାକୁ ପ୍ରୟାସ ଜାରୀ ରଖିଛନ୍ତି । ଦିଲ୍ଲୀବାସୀଙ୍କୁ ଯେମିତି ଜଳ ଅଭାବରେ ଶିକାର ହେବାକୁ ନପଡିବ ସେନେଇ ସରକାର ସଚେତନ ଅଛନ୍ତି।

କେନାଲର ସଫେଇ ବା ମରାମତି ବେଳେ ଜଳ ଯୋଗାଣ ପ୍ରାୟତ ପ୍ରଭାବିତ ହୋଇନଥାଏ । ହେଲେ ଯମୁନା ନଦୀରେ ଜଳସ୍ତର କମ୍ ଥିବାରୁ ଏହାର ପ୍ରଭାବ ଏବର୍ଷ ଦେଖିବାକୁ ମିଳିପାରେ । କେନାଲ ମରାମତି ସମୟରେ ଭାଗିରଥୀ ଓ ସୋନିଆ ବିହାର ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି । ସେହିଭଳି ପୂର୍ବ ଓ ଦକ୍ଷିଣ ଦିଲ୍ଲୀ କଥା ଯଦି କୁହାଯିବ ତାହେଲେ ଏହି ଦୁଇ ସ୍ଥାନରେ ଏନଡିଆରସି ଅଞ୍ଚଳ କୁ ବି ଜଳ ଯୋଗାଣ ପ୍ରଭାବିତ ହେବ । ଆସନ୍ତା ୪ ରୁ ୫ ଦିନ ଏଭଳି ସ୍ଥିତି ଲାଗିରହିବ । ସୋମବାର ଠାରୁ କେନାଲ ମରାମତି କାମ ଆରମ୍ଭ ହୋଇଯାଇଛି ।
ଆପ୍ ନେତା ତଥା ରାଜେନ୍ଦ୍ର ନଗର ବିଧାୟକ ରାଘବ ଚଡ୍ଡା କହିଛନ୍ତି କି ଉପର ଗଙ୍ଗ କେନାଲରୁ ଯେଉଁ ପାଣି ଆସିଥାଏ ତାହା ସାମାନ୍ୟ କମ୍ ହୋଇଛି । ଉତରପ୍ରଦେଶ ସରକାର ବାର୍ଷିକ ରକ୍ଷଣା ବେକ୍ଷଣ କାମ ଆରମ୍ଭ କରିଥିବାରୁ ଜଳ ପ୍ରବାହ ବନ୍ଦ ରଖିଛନ୍ତି । ଏହାର ଅନେକ ବିକଳ୍ପ ସରକାର ଚିନ୍ତା କରିଛନ୍ତି । ଯଦି ଗୋଟିଏ ସ୍ଥାନରୁ ଜଳ ପ୍ରବାହ ପ୍ରଭାବିତ ହେବ ତାହେଲେ ସରକାର ଅନ୍ୟ ସ୍ଥାନରୁ ଜଳ ଯୋଗାଣର ବ୍ୟବସ୍ଥା କରିବେ । ହେଲେ ବି ଏଭଳି ସ୍ଥିତିରେ ପୂର୍ବ ଓ ଦକ୍ଷିଣ ଦିଲ୍ଲୀର ଲୋକମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ହେଲେ ଦିଲ୍ଲୀ ସରକାର ଏନେଇ ଉତରପ୍ରଦେଶ ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି । ଖୁବ୍ ଶିଘ୍ର ମରାମତି କାମ ସାରିବାକୁ ଅନୁରୋଧ କରାଯାଇଛି ।