ବଡ଼ ମେଡିକାଲରେ ଜାରି ରହିଛି ବିଭ୍ରାଟ । ଏସସିବି ମେଡିକାଲରେ ବିଭିନ୍ନ ୱାର୍ଡକୁ ପାଣି ଯୋଗାଣ ବନ୍ଦ । ଦୁଇ ଦିନ ଅନ୍ଧାରରେ ଥିଲା କଟକ ବଡ଼ ମେଡ଼ିକାଲ
କନକ ବ୍ୟୁରୋ: ରାଜ୍ୟର ସବୁଠାରୁ ବଡ ମେଡିକାଲ କଟକ ଏସସିବିରେ ଲାଗି ରହିଛି ସମସ୍ୟା । ଶନିବାର ଓ ରବିବାର ବିଦ୍ୟୁତ୍ ବିଭ୍ରାଟ ପରେ ପୁଣି ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ବିଭିନ୍ନ ୱାର୍ଡରେ ପାଣି ନଆସିବାରେ ରୋଗୀ ଓ ରୋଗୀ ସମ୍ପର୍କୀୟ ହନ୍ତସନ୍ତ ହୋଇଛନ୍ତି । ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ।

Kanak News is now on WhatsApp
Join and get latest news updates delivered to you via WhatsApp
- ପ୍ରଥମେ ବିଦ୍ୟୁତ୍ ବିଭ୍ରାଟ
- ପରେ ପାଣି ସମସ୍ୟା
ରାଜ୍ୟର ସବୁଠାରୁ ବଡ ମେଡିକାଲ, କଟକ ଏସସିବିରେ ଗୋଟିଏ ପରେ ଗୋଟିଏ ବିଭ୍ରାଟ ହେବା, ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଶନିବାର ଓ ରବିବାର ଦୁଇ ଦିନ ମେଡିକାଲରେ ବିଦ୍ୟୁତ୍ ବିଭ୍ରାଟ ହେବା ପରେ, ଏବେ ପାଣି ସମସ୍ୟା ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସୂଚନା ଅନୁସାରେ ଗତ ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଛି । ଜଳ ଯୋଗାଣ ବନ୍ଦ ହେବାରୁ, ଶୌଚାଳୟକୁ ପାଣି ଆସୁନି । ଯାହାଫଳରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆଜି କିଛି ୱାର୍ଡକୁ ପାଣି ଆସିଥିଲେ ବି ଯଥେଷ୍ଟ ହୋଇନାହିଁ । ଏପରିକି ଟ୍ୟାପରେ କମ୍ ପାଣି ଆସୁଥିବାରୁ, ବାହାରୁ ପାଣି ବଟଲ କିଣିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ରୋଗୀ ସମ୍ପର୍କୀୟ ।
ଶନିବାର ଦିନ ଔଷଧ ବିଭାଗ ସମେତ, ବିଭିନ୍ନ ବିଭାଗରେ ପ୍ରାୟ ୧୦ ଘଣ୍ଟା ବିଜୁଳି କଟିଯାଇଥିଲା । ଆଉ ପୂରା ଅନ୍ଧାରରେ ରହିଥିଲା ଏକାଧିକ ୱାର୍ଡ । ସେହି ଅନ୍ଧାର ଭିତରେ ବିଭିନ୍ନ ୱାର୍ଡରେ ରୋଗୀ ସେବା ଚାଲିଥିଲା । ମୋବାଇଲ ଲାଇଟରେ ଇଞ୍ଜେକ୍ସନ ଦିଆଯାଇଥିଲା, ସାଲାଇନ୍ ଦିଆଯାଇଥିଲା । ରବିବାର ନିଦାନ ବିଭାଗରୁ ଦୀର୍ଘ ସମୟ ଧରି ବିଜୁଳି କଟି ଯାଇଥିଲା । ବିଜୁଳ ନଥିବାରୁ ବହୁ ରକ୍ତ ପରୀକ୍ଷା ଓ ସିଟି ସ୍କାନ ଭଳି ପରୀକ୍ଷା ହୋଇପାରିନଥିଲା । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରୋଗୀ ସମ୍ପର୍କୀୟ ।
ଏସସିବି ମେଡିକାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ଏସସିବିରେ ଲାଇଟ୍ ନାହିଁ, ପାଣି ନାହିଁ, ରାଜ୍ୟର ଶାସନ ବ୍ୟବସ୍ଥା କେଉଁଠି ଅଛି ବୋଲି ପ୍ରଶ୍ନ କରିଛି ବିଜେପି । କଟକ ଏସସିବି ହସ୍ପିଟାଲକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର ହଜାର ହଜାର ରୋଗୀ ଆଶା ଭରସା ନେଇ ଆସନ୍ତି । କିନ୍ତୁ ଏହି ହସ୍ପିଟାଲର ଏଭଳି ସ୍ଥିତି ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।