ଜଳ ଯନ୍ତ୍ରଣା ଦୂର ହେଲା, ମୁହଁରେ ହସ ଫୁଟିଲା । ପାଣି ପାଇଁ ସଙ୍ଘର୍ଷ କରୁଥିବା ୮୦ ପରିବାରର ଦୁଃଖ ଶୁଣିଲା ପ୍ରଶାସନ, କନକ ନ୍ୟୁଜରେ ଖବର ବାଜିବା ପରେ ଗାଁରେ ପହଞ୍ଚିଲା ପାଇପ ପାଣି…

713

କନକ ବ୍ୟୁରୋ: ପାଣି ପାଇଁ ଆଉ ପାହାଡ ଡେଇଁବାକୁ ପଡିବନି । ପୋଖରୀ ପାଣି ପାଇଁ ପାଦରେ ଚାଲିଚାଲି ଯିବାକୁ ହେବନି କି ଗଭୀର କୂଅରୁ ବିପଦ ସଙ୍କୁଳ ଅବସ୍ଥାରେ ପାଣି କାଢିବାକୁ ପଡିବନି । କାରଣ ଏବେ ଘର ଅଗଣାରେ ମିଳୁଛି ପାଣି । ବିନା କଷ୍ଟରେ ପାଖରେ ପହଞ୍ଚିଯାଉଛି ପାଇପ ପାଣି । ଗ୍ରୀଷ୍ମ ନଆସୁଣୁ ଜଳକଷ୍ଟ ଭୋଗୁଥିବା ଢେଙ୍କାନାଳ ଭୁବନ ବ୍ଲକ ଶ୍ରୀରାମପୁର ଗାଁ ଲୋକେ ଏବେ ପାଣି ପାଇ ବେଶ ଖୁସି ଅଛନ୍ତି ।

ଶ୍ରୀରାମପୁର ଗାଁରେ ପ୍ରାୟ ୮୦ଟି ପରିବାର ବସବାସ କରନ୍ତି । ଖାଲି ଖରା ଦିନେ ନୁହେଁ ଶୀତ ଦିନେ ବି ଜଳ ପାଇଁ ଯନ୍ତ୍ରଣା ପାଆନ୍ତି ଗାଁ ଲୋକେ । ପାଣି ପାଇଁ ଗାଁରେ ଯେଉଁ ଗୋଟିଏ ନଳକୂପ ରହିଛି ସେଥିରୁ ଅଧା ଦିନେ ପାଣି ବାହାରିବା ମୁସ୍କିଲ ହୋଇ ପଡୁଥିଲା । ତେଣୁ ଲୋକେ ବାଧ୍ୟ ହୋଇ କୂଅ ପାଣି ସହ ୨ କିଲୋମିଟର ଚାଲି ଚାଲି ଯାଇ ପୋଖରୀର ଦୂଷିତ ପାଣି ଆଣି ପିଉଥିଲେ ।

ପାଇପ ପାଣି ପାଇଁ ଗାଁରେ ବର୍ଷେ ହେଲା ପ୍ରକଳ୍ପ ରହିଥିଲା । ହେଲେ ଅଣଦେଖା ଆଉ ସରକାରୀ ବାବୁଙ୍କ ଉଦାସୀନତା ପାଇଁ ଗାଁର ପାଣି ସମସ୍ୟା ସମାଧାନ ହୋଇପାରୁନଥିଲା । ତେବେ ଗାଁର ଜଳ ଯନ୍ତ୍ରଣା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଏବେ ଗାଁର ବଡ ସମସ୍ୟା ଦୂର ହୋଇଛି ।