କନକ ବ୍ୟୁରୋ: ବର୍ଷା କେବଳ ଚାଷ ମାରୁଛି ତା’ନୁହେଁ, ଆଗାମୀ ଦିନରେ ବିଜୁଳି ଉତ୍ପାଦନକୁ ମଧ୍ୟ ପ୍ରଭାବିତ କରିପାରେ । କାରଣ ଉପର ମୁଣ୍ଡରେ ବର୍ଷା ନଥିବାରୁ ଜଳଭଣ୍ଡାରକୁ କମିଛି ଜଳ ପ୍ରବାହ । ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ପ୍ରକଳ୍ପ ହେଉଛି ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ଏବଂ ଜଲାପୁଟରେ ରହିଛି ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାର । ନିର୍ମାଣର ପ୍ରାୟ ୭୦ବର୍ଷ ପରେ ଚଳିତବର୍ଷ ଏହି ଜଳଭଣ୍ଡାରରେ ଜଳ ସଂକଟ ଦେଖାଦେଇଛି । ପାଣି ନଥିବାରୁ ବ୍ରିଟିଶ ଅମଳର ବିଭିନ୍ନ ସାମଗ୍ରୀ ଓ ପାଚେରି ଜଳଜଳ ଦିଶୁଛି ।
ଜଲାପୁଟ ଜଳଭଣ୍ଡାରର ଜଳଧାରଣା କ୍ଷମତା ୨,୭୫୦ ଫୁଟ । ଏ ବର୍ଷ ଅଗଷ୍ଟ ୨୫ ସୁଦ୍ଧା ଜଳସ୍ତର ୨୩ ଫୁଟ ତଳକୁ ଖସିଛି । ୨୦୧୮, ଅଗଷ୍ଟ ୨୫ ତାରିଖରେ ଜଳସ୍ତର ୨,୭୪୯ ଫୁଟ ଥିଲା । ୨୦୧୯ ଅଗଷ୍ଟ ୨୫ରେ ୨,୭୪୫ ଫୁଟ ଓ ୨୦୨୦ ଅଗଷ୍ଟ ୨୫ ବେଳକୁ ଜଲାପୁଟ ଜଳଭଣ୍ଡାରରେ ୨,୭୩୮ ଫୁଟ ପାଣି ରହିଥିଲା । ଚଳିତବର୍ଷ ୨୩ ଫୁଟ ତଳକୁ ଖସି ଜଳସ୍ତର ୨,୭୧୫ ଫୁଟ ରହିଛି । ତେବେ ଆଗାମୀ ଦିନରେ ଯଦି ଭଲ ବର୍ଷା ନହୁଏ, ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବା ନେଇ ଜଲାପୁଟ ଜଳଭଣ୍ଡାର ସହକାରୀ ଯନ୍ତ୍ର ଆଶଙ୍କା କରୁଛନ୍ତି ।
ଜଲାପୁଟ ଡ୍ୟାମ ଭଳି କୋଲାବ ଡ୍ୟାମ ବି ଶୁଖି ଯାଉଛି । ଅଭାବୀ ବର୍ଷା ପାଇଁ କୋଲାବରେ କମି ଯାଇଛି ଜଳସ୍ତର । କୋରାପୁଟ ଜିଲ୍ଳାର ଲାଇଫ ଲାଇନ କୁହାଯାଉଥିବା କୋଲାବ ଡ଼୍ୟାମରେ ଆବଶ୍ୟକତା ଅନୁସାରେ ପାଣି ନାହିଁ । ବର୍ତ୍ତମାନ ସ୍ଥିତି ଦେଖିଲେ ଚାଷ ଓ ବିଦ୍ୟୁତ ଉତ୍ପାଦନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକେ ଓ ଡ୍ୟାମ କର୍ତ୍ତୃପକ୍ଷ । କୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୮୫୮ ମିଟର । ପ୍ରତିବର୍ଷ ଅଗଷ୍ଟ ମାସରେ ଡ୍ୟାମରେ ୮୫୦ ମିଟର ପାଣି ଥାଏ । ଏବର୍ଷ ବର୍ଷା ଲୁଚକାଳି ଖେଳୁଥିବାରୁ ଡ୍ୟାମରେ ଏବେ ୮୪୭ ମିଟର ପାଣି ରହିଛି । ଫଳରେ ଡ଼୍ୟାମରୁ ୩୨୦ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ ସହ ଚାଷ ପ୍ରଭାବିତ ହେବା ନେଇ ଆଶଙ୍କା ବଢି ଯାଇଛି । ସମଗ୍ର ରାଜ୍ୟରେ ଅଭାବୀ ବର୍ଷା ଚାଷ ପ୍ରଭାବିତ କରିଛି । ପାଣି ଅଭାବରୁ ଜମି ଫାଟି ଆଁ କରିଥିବା ବେଳେ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନରେ ମଧ୍ୟ ବାଧା ଉପୁଜି ପାରେ ବୋଲି ଆଶଙ୍କା କରାଯାଉଛି ।