କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ସହ କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲ୍ଲା ସୀମାକୁ ଛୁଇଁଥିବା, ଏସିଆ ମହାଦେଶର ଦ୍ୱିତୀୟ ସର୍ବ ବୃହତମ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରେ ଏବେ ଜଳସଙ୍କଟ ଦେଖାଦେଇଛି । ୧୧୦ ବର୍ଗକିଲୋମିଟର ଅଂଚଳ ପରିବ୍ୟାପ୍ତ ଏହି ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨ ମିଟର ଅଛି । ଗତବର୍ଷ ଆଜିର ଦିନରେ ଏଠାରେ ୬୩୦. ୨୮ ମିଟର ଜଳ ଥିଲା । କିନ୍ତୁ ଏବେ ଜଳଭଣ୍ଡାରରେ ୬୨୭.୫୪ ମିଟର ଜଳ ଅଛି  । ବର୍ଷକରେ ୩ ମିଟର ଜଳ କମିଯାଇଛିି । ବର୍ତମାନ ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟକୁ ୧୭.୨୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୧.୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେବେ ଯଦି ଏପରି ଲାଗିରହେ ତାହେଲେ ଆଗାମୀ ଦିନରେ ବିଦ୍ୟୁତ ଉତ୍ପାଦନ ସହ ଜଳସେଚନ ପାଈଁ ଡ୍ୟାମରୁ ପାଣି ଛାଡିବା ନେଇ ଆଶଙ୍କା କରିଛନ୍ତି ଅଂଚଳବାସି ।

Advertisment

ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ କାରଣରୁ ଇନ୍ଦ୍ରାବତୀ ଜଳବିଦ୍ୟୁତ୍ ପ୍ରକଳ୍ପର ବିଦ୍ୟୁତ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି । ଏଠାରେ ବିଦ୍ୟୁତ ଉତ୍ପାଦନ କ୍ଷମତା ଦୈନିକ ୧୪ ହଜାର ୪୦୦ ମେଗାୱାଟ ରହିଛି । ଉତ୍ପାଦିତ ବିଦ୍ୟୁତ ବାବଦକୁ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ୱ ପାଉଛନ୍ତି । ଯଦି ଏଭଳି ଜଳସଙ୍କଟ ଲାଗି ରୁହେ ଆଗାମୀ ଦିନରେ ଚାଷୀଙ୍କ ପାଇଁ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନରେ ଘୋର ସମସ୍ୟା ଦେଖାଦେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଜଳବାୟୁ ପରିବର୍ତନର କୁପ୍ରଭାବ ନେଇ ସ୍ଥାନୀୟ ଅଂଚଳବାସୀଙ୍କୁ ପରିବେଶ ଓ ଜଙ୍ଗଲ ସୁରକ୍ଷା ନେଇ ସଚେତନ କରିବା ସହ ଆବଶ୍ୟକ ପଦକ୍ଷେପ ନେଇ ଭବିଷ୍ୟତରେ ବଡ଼ ବିପତିରୁ ରକ୍ଷା କରିବାର ଆବଶ୍ୟକତା ରହିଛି ।