ଅଧା ଭୁବନେଶ୍ୱରକୁ ପାଣି ଯୋଗାଉଥିବା ଗାଁରେ ଜଳକଷ୍ଟ । ଘଣ୍ଟା ଆସୁଛି ପାଣି, ୪ ବାଲତି ପାଣି ବି ପୂରା ହେଉନି । 

Advertisment
ଅଧା ଭୁବନେଶ୍ୱରକୁ ପାଣି ଯୋଗାଉଥିବା ଗାଁରେ ଜଳକଷ୍ଟ । ଘଣ୍ଟା ଆସୁଛି ପାଣି, ୪ ବାଲତି ପାଣି ବି ପୂରା ହେଉନି । 

କନକ ବ୍ୟୁରୋ :  ନିଜ ଗାଁ ପାଖ‌ ରେ ଜଳ ବିଶୋଧନାଗାର। ଏଇଠୁ ଅଧା ରାଜଧାନୀକୁ ଜଳଯୋଗାଣ ହେଉଛି। କିନ୍ତୁ ଗାଁ ଲୋକଙ୍କୁ ନିଇତି ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ୨୪ଘଣ୍ଟାରୁ ମାତ୍ର ଘଣ୍ଟାଏ ପାଇଁ ଲୋକଙ୍କୁ ପାଣି ଯୋଗାଣ କରାଯାଉଛି। ସମସ୍ୟା ଖାଲି ସେତିକି ନୁହେଁ, ଯୋଗାଣ ହେଉଥିବା ପାଣିର ବେଗ ଏତେ କମ୍‌ ଯେ ଗୋଟିଏ ବାଲତି ପାଣି ପୂରିବାକୁ ୧୦ମିନିଟ୍‌ ସମୟ ଲାଗୁଛି। ୪ ବାଲତି ନ ପୂରୁଣୁ ପାଣି ବନ୍ଦ। ଗୋଟିଏ ପଟେ ଭୁବନେଶ୍ୱର ଦେଶର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ବେଳେ ଏମିତି ଏକ ବିଚିତ୍ର ସ୍ଥିତି ଏବେ ରାଜଧାନୀର ୱାର୍ଡ ନମ୍ବର ୧୮ ଅନ୍ତର୍ଗତ ପଳାସୁଣୀ ଗାଁରେ ଦେଖିବାକୁ ମିଳୁଛି।

ଏହି ୱାର୍ଡର ଭୋଇସାହି, ପରିଡ଼ା କଲୋନି, ଲେଙ୍କାସାହି, ସାହୁସାହି, କପିଳେଶ୍ବରବିହାର ଆଦି ଅଞ୍ଚଳବାସୀ ବି ୧୫ ଦିନ ହେଲା ଏଭଳି ଅବସ୍ଥା ଭୋଗୁଛନ୍ତି। ଏହି ୱାର୍ଡରେ ହାତଗଣତି କେତୋଟି ନଳକୂପ ଥିଲେ ହେଁ ତାହା ବର୍ଷବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ି ରହିଛି। ଅମୃତ ଯୋଜନାରେ ପାଣି ଯୋଗାଣ ପରେ ସେଗୁଡ଼ିକର ବିଶେଷ ବ୍ୟବହାର ନ ହେବାରୁ ସେଥିମଧ୍ୟରୁ ଅନେକରେ କଳଙ୍କି ମଧ୍ୟ ଲାଗି ଗଲାଣି। ତେଣୁ ପିଇବା ପାଣି ପାଇଁ କଲବଲ ହେଉଥିବା ୱାର୍ଡ ବାସିନ୍ଦା ଗାଁରେ ବୋରୱେଲ୍‌ ଥିବା ଘରୁ ପାଣି ମାଗି ଚଳୁଛନ୍ତି।

ସୂଚନା ଅନୁସାରେ, ୧୮ନମ୍ବର ୱାର୍ଡ ଅର୍ନ୍ତଗତ ଏହି ସବୁ ସ୍ଥାନରେ ପାଖାପାଖି ୫ହଜାର ପରିବାର ବାସ କରୁଛନ୍ତି। ବିଏମସି ପକ୍ଷରୁ ଅମୃତ ଯୋଜନାରେ ସମସ୍ତଙ୍କ ଘରକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। କିନ୍ତୁ ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ସକାଳ ଏବଂ ସନ୍ଧ୍ୟାରେ ମାତ୍ର ଅଧଘଣ୍ଟା ଲେଖାଏ ପାଣି ଆସୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଯୋଗାଣ ହେଉଥିବା ପାଣିର ବେଗ ଏତେ ଧୀର ଯେ ଅଧଘଣ୍ଟାଏ ମଧ୍ୟରେ ଲୋକଙ୍କ ଗରା, ବାଲ୍‌ତି ବି ପୂରୁ ନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ବୋରୱେଲ୍‌ ଥିବା ଲୋକଙ୍କ ଘରୁ ପାଣି ବା,ଲ୍‌ତିଏ ଦୁଇ ବାଲ୍‌ତିଏ ମାଗି ଯେନତେନ ଭାବେ କାମ ଚଳାଇ ନେଉଛନ୍ତି। କିନ୍ତୁ ସବୁଦିନେ ଏମିତି ପାଣି ମାଗି ଚଳିବା ସମ୍ଭବ ନୁହେଁ ବୋଲି ସେମାନେ କହିଛନ୍ତି।

ଏ ସଂପର୍କରେ ସେମାନେ ବାରମ୍ବାର ଜଳଯୋଗାଣ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ହେଁ କେହି ତାଙ୍କ କଥା ଶୁଣୁ ନାହାନ୍ତି। ପଳାସୁଣୀ ଗ୍ରାମ୍ୟ ବିକାଶ କମିଟିର ସଭାପତି ରମେଶ ସାହୁ କହିଛନ୍ତି ଯେ ଲୋକଙ୍କ ଘର ସାମ୍ନାରେ ପାଣି ପାଇଁ ମିଟର ଲାଗିଛି। ମାସକୁ ମାସ ଲୋକେ ମିଟର ଅନୁସାରେ ବିଲ୍ ମଧ୍ୟ ପୈଠ କରୁଛନ୍ତି। କିନ୍ତୁ ଆବଶ୍ୟକ ମୁତାବକ ପାଣି ମିଳୁ ନାହିଁ। ଏହି ସମସ୍ୟା ସଂପର୍କରେ ଚାବି ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯିବା ପରେ ମଧ୍ୟ ଫଳ ଶୂନ। ଫଳରେ ପଳାସୁଣୀ ସମେତ ଆଖପାଖ ଅଞ୍ଚଳର ବହୁ ଲୋକେ ହଇରାଣ ହେଉଛନ୍ତି। ତେଣୁ ଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ କମିଟି ରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ୱାଟକୋର କନିଷ୍ଠ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଭୂୟାଁଙ୍କୁ ପଚାରିବାରୁ ସେ କହିଲେ, କିଛି ଦିନ ତଳେ ଏଭଳି ସମସ୍ୟା ଦେଖାଦେବାରୁ ତା’ର ସମାଧାନ କରାଯାଇଥିଲା। ଏବେ ଆଉ ଥରେ ଅଭିଯୋଗ ହୋଇଛି। ଖୁବ୍‌ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ  କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe