ମାଡ଼ିଆସୁଛି ଜଳ ସଙ୍କଟ! ଆଗକୁ ଓଡ଼ିଶାରେ ଅଭାବ ହେବ ପିଇବା ପାଣି

ମାଟିତଳର ଚିତ୍ର ଅର୍ଥାତ ଭୂତଳ ଜଳ ସ୍ଥିତି ଆହୁରି ସାଂଘାତିକ

477

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାର ୧୪ଟି ବ୍ଲକରେ ପାନୀୟ ଜଳ ସମସ୍ୟା ରହିଛି। ଏ ମଧ୍ୟରୁ ଦେଓଗାଁ, ବଙ୍ଗୋମୁଣ୍ଡା, ଟିଟିଲାଗଡ଼, ପାଟଣାଗଡ଼, ଗୁଡ଼ଭେଲା, ମୁରିବାହାଲ, ତୁରେକେଲା, ବେଲପଡ଼ା ପରିସ୍ଥିତି ଅତି ଉତ୍କଟ। ରାୟଗଡ଼ା ଜିଲ୍ଲାର କାଶୀପୁର, ଚନ୍ଦ୍ରପୁର ଅଞ୍ଚଳରେ ଏଭଳି ଜଳସଙ୍କଟ ବର୍ଷତମାମ ଲୋକଙ୍କ ଜୀବନକୁ ଦୁର୍ବିଷହ କରିପକାଏ। ଜଗତସିଂହପୁର ଜିଲ୍ଲାରେ ଜଳର ଅଭାବ ନାହିଁ। କିନ୍ତୁ ଏରସମା, ବାଲିକୁଦା, କୁଜଙ୍ଗ ବ୍ଲକର କିଛି ପଞ୍ଚାୟତ ପାଇଁ ଏବେ ଲବଣାକ୍ତ ଜଳ ସ୍ଥାନୀୟ ବାସିନ୍ଦାଙ୍କ ପିଇବା ପାଣି ଚିନ୍ତା ବଢ଼ାଇ ଦେଇଛି। କେବଳ ଏହି ତିନିଟି ଜିଲ୍ଲା ନୁହେଁ, ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ, ଓଡ଼ିଶାର ପାଖାପାଖି ୫୦ଟି ବ୍ଲକରେ ଏବେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଲାଣି। ୨୦୫୦ ମସିହା ବେଳକୁ ସ୍ଥିତି ଏତେ ଗମ୍ଭୀର ହୋଇସାରିଥିବ ଯେ ଓଡ଼ିଶାରେ ଉତ୍କଟ ପାନୀୟ ଜଳାଭାବ ଦେଖାଯିବା ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ଅନ୍ୟପକ୍ଷରେ ଭୂତଳଜଳ ପୁନଃଭରଣ ପାଇଁ ଭୂତଳ ଜଳ ନିର୍ଦେଶାଳୟ ଯେଉଁ ଯୋଜନା ପ୍ରସ୍ତୁତ କରୁଛନ୍ତି, ତାହାକୁ ଆଉ କେହି ମାନିବା ଦୂରେ ଥାଉ, ଖୋଦ୍ ସରକାରୀ ସଂସ୍ଥାମାନେ କରୁଥିବା ବିଶାଳ ନିର୍ମାଣ କ୍ଷେତ୍ରରେ ମଧ୍ୟ ଅନୁପାଳନ ହେଉନାହିଁ। ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ଲାଗି ଚାପ କୌଶଳ ପ୍ରୟୋଗ କରିବା ପରିବର୍ତେ, ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯେ ରାଜ୍ୟର ମାତ୍ର ୧୮୮୫ ସରକାରୀ କୋଠା ଓ ୨୯ ହଜାର ୫୦୦ ବେସରକାରୀ କୋଠା ଛାତ ଜରିଆରେ ବର୍ଷା ଜଳ ଅମଳ କରିବେ। ଏହା କେଉଁଠି ନା କେଉଁଠି ସୂଚାଇ ଦେଉଛି ଯେ ସରକାର ସେତିକି ଗମ୍ଭୀର ଭାବେ ଏହି ସମସ୍ୟାକୁ ଦେଖିନାହାନ୍ତି, ଯେତିକି ଆବଶ୍ୟକତା ରହିଛି।

ତଥ୍ୟ ଅନୁସାରେ, ୧୯୯୧ ମସିହା ବେଳକୁ ମୁଣ୍ଡପିଛା ବାର୍ଷିକ ହାରାହାରି ଜଳର ପରିମାଣ ଥିଲା ୩୮୦୨.୮୪ ଘନମିଟର। ୨୦୧୯ ଅର୍ଥାତ୍ ସଦ୍ୟତମ ରିପୋର୍ଟ କହୁଛି, ଏହା କମି ୨୫୭୮.୦୯ ଘନମିଟରରେ ପହଞ୍ଚିଛି। ସ୍ଥିତି ଏଇଥିପାଇଁ ଆୟତ୍ତ ବାହାରକୁ ଯାଉଥିବା କୁହାଯାଉଛି, କାରଣ ୨୦୦୧ ମସିହା ବେଳକୁ ରାଜ୍ୟର ୧୧ଟି ପ୍ରମୁଖ ନଦୀ ଶଯ୍ୟା ଦେଇ ୯୫ହଜାର ୫୪୦ ନିୟୁତ କ୍ୟୁବିକ୍ ମିଟର ଜଳ ପ୍ରବାହିତ ହେଉଥିଲା। ଯେଉଁଥିରୁ ଜଳସେଚନ ପାଇଁ ୨୧ହଜାର ୭୯୩ ନିୟୁତ କ୍ୟୁବିକ୍ ମିଟର, ପାନୀୟ ଜଳ ପାଇଁ ପାଖାପାଖି ୨୮୪ ନିୟୁତ କ୍ୟୁବିକ୍ ମିଟର, ଶିଳ୍ପାଞ୍ଚଳ ଲାଗି ୧୮୩୨ ନିୟୁତ କ୍ୟୁବିକ୍ ମିଟର ଓ ପରିବେଶ ପାଇଁ ୨୦ ହଜାର ୫୪୧ ନିୟୁତ କ୍ୟୁବିକ୍ ମିଟର ଜଳର ଆବଶ୍ୟକତା ଥିଲା। ଅର୍ଥାତ୍ ପାଖାପାଖି ୫୧ ହଜାର ୮୯ ନିୟୁତ କ୍ୟୁବିକ୍ ମିଟର ସମୁଦ୍ର ମଧ୍ୟକୁ ଯାଉଥିଲା। ହେଲେ ଆକଳନ କରାଯାଉଛି, ୨୦୫୦ ମସିହା ସେହି ୧୧ଟି ନଦୀରେ ଜଳପ୍ରବାହ କମି ୮୫ ହଜାର ୮୯୧ ନିୟୁତ କ୍ୟୁବିକ୍ ମିଟରରେ ପହଞ୍ଚିଥିବ। ଏଥିରୁ ଜଳସେଚନ ଉଦ୍ଦେଶ୍ୟରେ ୫୭ହଜାର ୩୬୫ ନିୟୁତ କ୍ୟୁବିକ୍ ମିଟର, ପିଇବା ପାଣି କ୍ଷେତ୍ରରେ ୧୨୬୪ ନିୟୁତ କ୍ୟୁବିକ୍ ମିଟର, ଶିଳ୍ପ ଲାଗି ୪୦୧୪ ନିୟୁତ କ୍ୟୁବିକ୍ ମିଟର, ପରିବେଶ ଉଦ୍ଦେଶ୍ୟରେ ୧୮୪୬୫ନିୟୁତ କ୍ୟୁବିକ୍ ମିଟର ଜଳର ଚାହିଦା ରହିଥିବ। ଅତଏବ ରାଜ୍ୟରେ ବଳକା ଜଳର ପରିମାଣ ମାତ୍ର ୪୭୮୨ ନିୟୁତ କ୍ୟୁବିକ୍ ମିଟରକୁ ଖସିଆସିଥିବ।

ଲୁଣା ଜଳ ମାଡ଼ି ଯାଉଥିବାରୁ ଉପକୂଳକୁ ବିପଦ

ମାଟିତଳର ଚିତ୍ର ଅର୍ଥାତ ଭୂତଳ ଜଳ ସ୍ଥିତି ଆହୁରି ସାଂଘାତିକ। ରାଜ୍ୟ ସରକାର ୨୦୧୭ ସମିହାରେ ଭୂତଳ ଜଳ ସ୍ଥିତି ଆକଳନ କରିଥିଲେ। ଏହି ରିପୋର୍ଟ କହୁଛି, ୫ଟି ବ୍ଲକ ଅର୍ଥାତ୍ ବାଲେଶ୍ବର ଜିଲ୍ଲାର ବାହାନଗା, ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡ଼ାର ଗରଦପୁର ଏବଂ େଖାର୍ଧାର ବୋଲଗଡ଼ ବ୍ଲକରେ ଭୂତଳ ଜଳ ସ୍ଥିତି ସଙ୍ଗିନ୍। ଏଠାରେ ଭୂତଳ ଜଳ ଯାହା ରହିଛି, ତାହାର ୭୦ରୁ ୯୦ ପ୍ରତିଶତ ଲୋକେ ବ୍ୟବହାର କରୁଛନ୍ତି। ୪୪ଟି ବ୍ଲକ୍ ସେଇ ଆଡ଼କୁ ମୁହାଁଇଲେଣି। ଏଥିରେ ନୟାଗଡ଼ ସଦର, ଢେଙ୍କାନାଳ ସଦର, ତିଗିରିଆ, ଓଡ଼ାପୋଡ଼ା, କଟକ ସଦର, ନାଉଗାଁ, କୁଜଙ୍ଗ, ଜଗତସିଂହପୁର, ରସୁଲପୁର, ବିଞ୍ଝାରପୁର, ଦଶରଥପୁର, କାକଟପୁର, ବାଲିପାଟଣା, ଭୁବନେଶ୍ବର, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା, ଆଳି, ରେମୁଣା, ନୀଳଗିରି, ଭୋଗରାଇ, ଜଳେଶ୍ବର, ସୋର, କଣ୍ଟାମାଳ, ଗଞ୍ଜାମ, ହିଞ୍ଜିଳିକାଟୁ, ଆସ୍କା, ଯୋଡ଼ା, ଧାମନଗର, ଭଦ୍ରକ, ଭଣ୍ଡାରିପୋଖରୀ ରହିଛି। ଏହାବ୍ୟତୀତ ଏହି ତାଲିକାରେ ତାଳଚେର, କଣିହାଁ, ତରଭା, ସୋନପୁର, ବିଶ୍ରା, ଭଟଲି, ଝାରବନ୍ଧ, ବରଗଡ଼, ସୋହେଲା, ଲୋଇସିଂହା, ରାସଗୋବିନ୍ଦପୁର, ବଡ଼ସାହି, ବେତନଟୀ ଓ ଯାଜପୁର ବ୍ଲକ୍ ମଧ୍ୟ ରହିଛି। ଏସବୁ ବ୍ଲକରେ ଭୂତଳ ଜଳର ୭୦% ପର୍ଯ୍ୟନ୍ତ ବ୍ୟବହାର ହୋଇଯାଉଛି, ଯାହା ବିପଜ୍ଜନକ।

ଏହି ସମସ୍ୟାଟି କେବଳ ଏସବୁ ବ୍ଲକରେ ସୀମିତ ଅଛି ତା ନୁହେଁ, ରାଜ୍ୟର ୨୭ଟି ସହରାଞ୍ଚଳରେ ମଧ୍ୟ ଭୂତଳ ଜଳ ସମସ୍ୟା ଅତ୍ୟନ୍ତ ଗମ୍ଭୀର ଆଡ଼କୁ ଗଲାଣି। ଏଥିରେ ଖୋର୍ଧା, ତାଳଚେର, ବରଗଡ଼, ପଦ୍ମପୁର, ବରପାଲି, ଟିଟିଲାଗଡ଼, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଧା, ଭୁବନେଶ୍ବର, ବାରିପଦା, ନବରଙ୍ଗପୁର, ନୟାଗଡ, ପୁରୀ ଓ ସମ୍ବଲପୁର ରହିଛି। ସେହିଭଳି ଏହା ତାଲିକାରେ ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ମଧ୍ୟ ରହିଛି। ଏହି ରିପୋର୍ଟ ଅନୁସାରେ, ବାକି ୨୫୯ ବ୍ଲକରେ ଭୂତଳ ଜଳ ବ୍ୟବହାର ସୀମା ଭିତରେ ରହିଛି। ଅବଶ୍ୟ ଲୁଣା ଜଳ ମାଡ଼ିଯିବା କାରଣରୁ କେତେ ବ୍ଲକ୍ରେ ପିଇବା ପାଣି ବ୍ୟବସ୍ଥା ବିପର୍ୟ୍ୟସ୍ତ ହୋଇଛି, ସେ ସଂପର୍କରେ ଏଥିରେ ତଥ୍ୟ ଉଲ୍ଲେଖ ନାହିଁ।

Comments are closed.