ପ୍ରକଳ୍ପ ଅଛି, ପାଣି ଟାଙ୍କି ବି ଅଛି କିନ୍ତୁ ଜଳକଷ୍ଟରେ ଜୀବନ : ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗଜପତି ଜିଲ୍ଲା ଗୁଡ଼ା ଗାଁ ଲୋକେ

57

କନକ ବ୍ୟୁରୋ : ପାଣି ପାଇଁ ଡହଳବିକଳ । ବିଶୁଦ୍ଧ ପିଇବା ପାଣି ପାଇଁ ଟଙ୍କା ବ୍ୟୟବରାଦ ହୋଇଛି । ଟ୍ୟାଙ୍କ ବି ରହିଛି କିନ୍ତୁ କୌଣସି କାମରେ ଆସୁନାହିଁ । ତିଆରି ହେବା ଦିନଠାରୁ ମୁନ୍ଦାଏ ବି ପାଣି ପାଇନାହାନ୍ତି ଗାଁ ଲୋକେ । ଆଉ ପାଣି ଅଭାବରୁ ବିକଳ୍ପ ନ ପାଇ ଦୂଷିଣ କୂଅ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ଗାଁ ଲୋକେ । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗୁଡା ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।

ପ୍ରାୟ ୪ ଶହରୁ ଅଧିକ ଲୋକ ରହୁଥିବା ଏହି ଗାଁରେ ତିଆରି ହୋଇଥିବା ଟ୍ୟାଙ୍କ ଓ ବୋର ଗୋଟିଏ ଦିନ ବି ବ୍ୟବହାର ହୋଇନାହିଁ । ଗାଁ ମୁଣ୍ଡରେ ରହିଥିବା ନଳକୂଅରୁ ଅଧିକାଂଶ ସମୟ ପାଣି ଆସୁନାହିଁ । ଫଳରେ ବାଧ୍ୟ ହୋଇ ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଆଉ ଏଥିପାଇଁ ଲୋକଙ୍କ ଏକମାତ୍ର ଭରସା ହେଲା କୂଅ । ଆଉ ଖରାଦିନ ହେଲେ ଏହି କୂଅ ବି ଶୁଖିଯାଉଛି । ସେହିଭଳି ରାୟଗଡ ବ୍ଲକର ହାତିବାଡି ଗାଁରେ ବି ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି । ପ୍ରଶାସନକୁ ଜଣାଇଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।