ପାଣି ପାଇଁ ଆଉ ରାତି ଅଧରୁ ଉଠି ୩କିମି ଦୂରକୁ ଯିବେନି ଝିଅବୋହୂ ! ଦୂର ହେଲା ସମସ୍ୟା, ଦାଣ୍ଡ ଦୁଆରେ ପହଂଚିଲା ପାଇପ୍ ପାଣି ।

118

କନକ ବ୍ୟୁରୋ : ସୁଧୁରିଲା ଦୀର୍ଘ ଦିନର ସମସ୍ୟା । ଦୂର ହେଲା ଜଳାଭାବ । ରାତି ଅଧରୁ ଉଠି ଆଉ ବାଇପାସ ପାଖକୁ ଯିବେ ନାହିଁ ଗାଁର ଝିଅବୋହୂ । କାରଣ ରାଜ୍ୟ ସରକାରଙ୍କ ଦ୍ୱାରା ବୃହତ ପାଣି ଟାଙ୍କି ଉଦଘାଟନ ଦେବା ପରେ ଏବେ ଘର ଅଗଣାରେ ପହଂଚିଛି ପିଇବା ପାଣି । ପାଇପ୍ ଯୋଗେ ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ଫୁଲଟା ପଂଚାୟତରେ ଦିର୍ଘ ବର୍ଷ ଧରି ଲାଗି ରହିଥିବା ଜଳ ସମସ୍ୟାର ସମାଧାନ ହୋଇଛି ।

ପୂରଣ ହେଲା ଦୀର୍ଘ ଦିନର ଦାବି । ସୁଧୁରିଲା ଜଳ ସମସ୍ୟା । ଆଉ ଯିବାକୁ ପଡୁନି ଗାଁ ଠାରୁ ୩ କିଲୋମିଟର ଦୂର ବାଇପାଶ ପାଖକୁ । ଆଉ ହେବାକୁ ପଡୁନି ରାତି ଅନିଦ୍ରା । ହେଲେ ଶୋଷ ମେଂଟୁଛି । ଏବେ ଘର ଆଗରେ ବସିଛି ପାଣି ପାଇପ୍ । ଫଳରେ ଲୋକ ପାଇପାରୁଛନ୍ତି ଶୁଦ୍ଧ ପାଣି । ଗଂଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ଫୁଲଟା ପଂଚାୟତରେ ବର୍ଷ ବର୍ଷ ଧରି ପାଣି ସମସ୍ୟା ଲାଗି ରହିଥିଲା । ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁରେ ପାଣି ଟାଙ୍କି ହେବା ପରେ ଏହି ସମସ୍ୟା ଦୂର ହୋଇଛି ।

ଫୁଲଟା  ଗାଁର ଜଳ ସମସ୍ୟା ଦୂର କରିବା ପାଇଁ ପ୍ରାୟ ୨ କୋଟି ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ୪ଟି ପାଣି ଟାଙ୍କି । ପୁର୍ବରୁ ଏହି ଗାଁରେ ପାଣି ଟାଙ୍କି ଥାଇ ବି କାମରେ ଆସୁନଥିଲା । ତେବେ ସରକାରଙ୍କ ପକ୍ଷରୁ ୭୫ ହଜାର ଲିଟରର ପାଣି ଟାଙ୍କି କରିବା ପରେ ଗାଁର ପ୍ରତିଘରେ ପାଇପ୍ ପାଣି ପହଚଂଚି ପାରିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟରେ କୌଣସି ମହିଳା ପାଣି ପାଇଁ ଘରୁ ବାହାରିବେ ନାହିଁ । ତାକୁ ଆଖି ଆଗରେ ରାଖି ବିଭିନ୍ନ ଗ୍ରାମରେ ନିର୍ମାଣ କରାଯାଇଛି ପାଣି ଟାଙ୍କି ।