୨୦ ବର୍ଷ ହେଲା ଜଳକଷ୍ଟ ଭୋଗୁଛନ୍ତି ମାଦଳା ଗାଁର ଲୋକେ । ୨ କିଲୋମିଟର ଦୂର ପଡିଶା ଗାଁରୁ ଭାର ଓ ମୁଣ୍ଡରେ ବୋହୁଛନ୍ତି ପାଣି ଗରା ।

95
କନକ ବ୍ୟୁରୋ: ପାଣି ପାଇଁ ଲୋକେ ହେଉଛନ୍ତି ଡହଳବିକଳ । ନଳକୂପ ଗୁଡିକ ଦୀର୍ଘଦିନରୁ ଅଚଳ ହୋଇପଡିଛି  । ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା କୂଅ ଉପରେ ନିର୍ଭର କରୁଛନ୍ତି ୮୦ ପରିବାର । ସେପଟେ ଗାଁର ଅନତି ଦୂରରେ ନିର୍ମାଣ ହେବାକୁ ଥିବା ପାଣି ପ୍ରକଳ୍ପ କାମ ଶେଷ ସରୁନି, କେବଳ ଫଳକରେ ସିମିତ ରହିଛି  । ଜଳ ସମସ୍ୟାରେ ଘାଂଟି ହେଉଛି ଯାଜପୁର କୋରାଇ ବ୍ଲକର ମାଦଳା ଗାଁ ।
ଭାରାରେ ବୁହା ହେଉଛି ପାଣି । ପୁଣି କିଏ ମୁଣ୍ଡରେ ପାଣିଗରା ବୋହି ନେଉଛନ୍ତି । ପୁରୁଷ, ମହିଳା ଓ ଛୋଟ ଛୋଟ ପିଲା, ସମସ୍ତ ରାତି ପାହିବା କ୍ଷଣି ଏମିତି ପାଣି ବୁହାନ୍ତି । କାରଣ ଗାଁରେ ଥିବା ନଳକୂଅ ଅଂଚଳ ହୋଇଯାଇଛି । ଆଉ ଏହି କୂଅରୁ ପାଣି ନେଲେ ଘରେ ଲୋକଙ୍କ ଶୋଷ ମେଂଟିବ । ଏ ଦୁଃଖ ଯାଜପୁର ଜିଲ୍ଲା କୋରାଇ ବ୍ଲକ ମାଦଳା ଗାଁର । ଗାଁରେ ୮୦ରୁ ଅଧିକ ପରିବାର ରହୁଥିବା ବେଳେ ଗାଁରେ ଥିବା ନଳକୂପ ଗୁଡିକ ଅଚଳ ହୋଇପଡିଥିବା ବେଳେ ଏକ ମାତ୍ର ଟ୍ୟାପ୍ ବି ଅଚଳ  । ତେଣୁ ପ୍ରାୟ ୨୦ବର୍ଷ ହେବ ଗାଁ ଠାରୁ ଦୁଇ କିଲୋମିଟର ଦୂର ପାଖ ଗାଁରେ ଥିବା କୂଅରୁ ପାଣି ଆଣି ପିଇଥାନ୍ତି ମାଦଳା ଗାଁର ଲୋକେ ।
ଲୋକେ ୨୦ ବର୍ଷ ହେବ ପାଣି ପାଇଁ ହଦଗଂଜ ହେଉଛନ୍ତି କିନ୍ତୁ ସରକାରଙ୍କ ଦ୍ୱାରା ତିଆରି ହେଉଥିବା ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ କାମ ସରୁନାହିଁ । କେବେ ସରିବ ତା’ବି ଜଣା ନାହିଁ । ସେପଟେ ବିଧାୟକ କହିଛନ୍ତି ମାଦଳା ଗାଁ ନିକଟରେ କାମୁଡେଇ ଠାରେ ନିର୍ମାଣାଧିନ ପାଣି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ ହେବ ଏବଂ ଲୋକଙ୍କୁ ପାଣି ଯୋଗାଇ ଦିଆଯିବ  । ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ସମାଧାନ କରି ପ୍ରଶାସନ କେବେ ପାନୀୟ ଜଳ ଯୋଗାଇ ଦେଉଛି ଏବେ ତାକୁ ହିଁ ଅପେକ୍ଷା ।