ନଈ କୂଳରେ ଘର, ହେଲେ ମେଂଟୁନି ଶୋଷ । ରାଜନଗର ବ୍ଲକର ନଇକୂଳିଆ ଲୋକେ ଭୋଗୁଛନ୍ତି ଜଳ ଯନ୍ତ୍ରଣା ।

52

କନକ ବ୍ୟୁରୋ: ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକର ନଈକୂଳିଆ ଅଂଚଳର ମହିଳାଙ୍କୁ ପ୍ରତି ଦିନ ସକାଳ ପାହିଲେ ପାଣି ନେବା ପାଇଁ ପ୍ରତିଯୋଗିତା କରିବାକୁ ପଡୁଛି । ପାଣି ଗରାଏ ପାଇଁ ମହିଳାମାନେ ନଳକୂପ ଆଗରେ ଘଂଟା ଘଂଟା ଅପେକ୍ଷା କରୁଛନ୍ତି । ଜନସଂଖ୍ୟା ଅନୁସାରେ ଗାଁରେ ନଳକୂପ ନଥିବାରୁ ପାଣି ପାଇଁ ବାଧ୍ୟ ହୋଇ ଲୋକେ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରୁଛନ୍ତି । ହେଲେ ବାରମ୍ବାର କୁମ୍ଭୀର ଆକ୍ରମଣରେ ଜୀବନ ଯାଉଥିବାରୁ ନଦୀକୁ ଯିବାକୁ ଭୟ କରୁଛନ୍ତି ନଈକୂଳର ଅଚଂଳବାସୀ ।

ନଈ କୂଳର ଗାଁ ହୋଇଥିଲେ ବି ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଅନ୍ୟପଟେ ଶୋଷରେ ଆଉଟୁପାଉଟୁ ହେଉଥିବା ମଣିଷ ବ୍ରାହ୍ମଣୀ ନଈକୁ ଓହ୍ଲାଇଲେ କୁମ୍ଭୀର ଟାଣି ନେବାର ଭୟ ରହିଛି । ତେବେ ବନ ବିଭାଗ ପକ୍ଷରୁ ଗାଧୁଆ ତୁଠରେ କୁମ୍ଭୀର ଦାଉରୁ ରକ୍ଷା ପାଇଁ ଲୁହାର ତାରବାଡ ଦିଆଯାଇଥିଲା । ହେଲେ ଏବେ ସେହି ତାର ବାଡ ଭାଙ୍ଗିଯାଇଥିବାରୁ ସହଜରେ କୁମ୍ଭୀର କୂଳକୁ ଚାଲି ଆସୁଛନ୍ତି । ଫଳରେ ନଈକୂଳକୁ ଯିବାକୁ ଲୋକେ ଡରୁଛନ୍ତି ।

ସରକାରୀ ରିପୋର୍ଟ ଅନୁସାରେ ଗତ ୨୦ ବର୍ଷରେ କୁମ୍ଭୀର ଆକ୍ରମଣରେ ରାଜନଗର ବ୍ଲକର ଶହେରୁ ଅଧିକ ଜୀବନ ଯାଇଥିବା ବେଳେ ୫ଶହରୁ ଅଧିକ ଆହତ ହୋଇଛନ୍ତି । ସ୍ଥଳ ଭାଗରେ ଜଳ ସଂକଟ ଓ ନଈକୁ ଗଲେ କୁମ୍ଭୀର ଭୟ । ଏଭଳି ଆଶା, ଆଶଙ୍କାରେ ଜୀବନ ବିତାଉଛନ୍ତି ରାଜନଗରର ନଈକୂଳିଆ ଗ୍ରାମବାସୀ ।