ଖରା ଆରମ୍ଭରୁ ଜଳ ଯନ୍ତ୍ରଣା । ମିଳୁନି ପିଇବା ପାଣି । ନାଳ ପାଣି ପିଉଛନ୍ତି ଲୋକେ ।

96

କନକ ବ୍ୟୁରୋ: ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ଗାଁରେ ଥିବା ନଳକୂପ ଅଚଳ ହେବା ପରେ ଗ୍ରାମବାସୀଙ୍କ ଭରସା ପାଲଟିଛି ନାଳ ଚୂଆ । ପିଲା ଛୁଆଙ୍କ ପାଇଁ ଘର ଠାରୁ ୧ କିଲୋମିଟର ଦୂରକୁ ଯାଇ କଂସା କଂସା କରି ପାଣି ସଂଗ୍ରହ କରୁଛନ୍ତି ମହିଳା । ଏହି ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଗାଁରେ ଥିବା ଜଳ ସମସ୍ୟା । ଖରା ବଢୁଥିବା ବେଳେ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ପଂଚାୟତ ରଘୁଆବୋଲ ଗାଁର ପ୍ରାୟ ୩୫ ପରିବାର । ପାଣି ମୁନ୍ଦାଏ ପାଇଁ ହଇରାଣ ହୋଇଥିବା ଗ୍ରାମବାସୀ ଚରମ ନିଷ୍ପତି ନେଇଛନ୍ତି । ଯଦି ଆଗାମୀ ଦିନରେ ଗାଁରେ ଜଳ ଯୋଗାଣ ବ୍ୟବସ୍ଥା ନକରାଯାଏ ତେବେ ଭୋଟ ବର୍ଜନ କରିବେ ବୋଲି ନିଷ୍ପତି ନେଇଛନ୍ତି ।

ଗାଁରେ ଥିବା ୪ଟି ନଳକୂପ ମଧ୍ୟରୁ ୩ଟି ଅଚଳ ଆଉ ଯେଉଁ ଗୋଟିଏ ନଳକୂପ ଅଛି ସେଥିରୁ ମଧ୍ୟ ଠିକ ଭାବରେ ପାଣି ବାହାରୁ ନାହିଁ । ତେଣୁ ଗାଁର ଲୋକମାନେ ବାଧ୍ୟ ହୋଇ ଚୂଆ ପାଣି ଉପରେ ନିର୍ଭର କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ।

ଖରାଦିନ ଆରମ୍ଭରୁ ଏଭଳି ଅବସ୍ଥା । ଆଗକୁ ଖରା ବଢ଼ିବା ସହ ଲୋକଙ୍କ ଜଳ ଯନ୍ତ୍ରଣା ମଧ୍ୟ ଅସହ୍ୟ ହେବ । ତେଣୁ ବିଭାଗ ତରଫରୁ ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।