କନକ ବ୍ୟୁରୋ : ପାଣି ପାଇଁ ଗାଁ ଲୋକେ ହେଉଛନ୍ତି ହନ୍ତସନ୍ତ । ପାଣି ଆଣିବାକୁ ଯିବାକୁ ପଡ଼ୁଛି ୨ କିଲୋମିଟରରୁ ଅଧିକ ବାଟ । ଏ ଦୃଶ୍ୟ ହେଉଛି ରାଜଧାନୀ ଠାରୁ ମାତ୍ର ୪୫ କିଲୋମିଟରରେ ଥିବା ପୁରୀ ଜିଲ୍ଲା କଣାସ ବ୍ଲକ ସାମନ୍ତରାୟପୁରର ଦୃଶ୍ୟ । ଗଡ଼ ସାନପୁଟ, ପାଣ୍ଡିଆ କେରା , ତ୍ରିଲୋଚନପୁର , ଦୋକନ୍ଦା, ବଡ଼ାସ ଆଦି ପଂଚାୟତର ହଜାର ହଜାର ଲୋକେ ଏବେ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି । ସକାଳ ହେଲେ ମହିଳାମାନେ ଗରା ବାଲଟି ଧରି ପାଣି ଆଣିବାକୁ ଯାଉଛନ୍ତି । ପୋଖରୀଗୁଡ଼ିକ ଶୁଖିଯାଇଥିବାବେଳେ ଗାଁର କୂଅ ସମେତ କାମ କରୁନି ନଳକୂଅ ।
ଅନ୍ୟପଟେ ଗାଁରେ ଥିବା ୨ ଟି କୂଅ ଶୁଖି ଯାଉଥିବାବେଳେ ଅଳ୍ପ ପାଣି ପାଇଁ କୂଅ ପାଖରେ ଭିଡ଼ ଜମୁଛି । ବ୍ଲକର ୨୮ ଟି ପଞ୍ଚାୟତର ଦେଖାଦେଇଛି ସମାନ ପରିସ୍ଥିତି । ୨୦୧୮ ମସିହାରୁ ବିଶୁଦ୍ଧ ପାଣି ଯୋଗାଇ ଦେବା ପାଇଁ ଗ୍ରାମ ପାନୀୟ ଜଳ ପ୍ରକଳ୍ପ ହୋଇଛି । ହେଲେ ତାହା ପାଣି ପିଇବା ଉପଯୋଗୀ ନୁହେଁ । ଏବେ ସେହି ସ୍ଥାନ ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟି ଯାଇଛି ।କଣାସ ବ୍ଲକ ଦୟାବିହାର ଦୟା ନଦୀ କୂଳରେ ୧୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚରେ ସରକାର ନିର୍ମାଣ କରୁଛନ୍ତି ମେଘା ପାନୀୟ ଜଳ ପ୍ରକଳ୍ପ । ତାହା କେବେ ସମ୍ପୂର୍ଣ୍ଣ ହେବ ଏବଂ ଲୋକେ ତାହାର ଉପଯୋଗ କରିବେ ଏନେଇ ପ୍ରଶ୍ନ ଉଠିଛି । ଏପଟେ ପାନୀୟ ଜଳ ବିଭାଗର ଯନ୍ତ୍ରୀ ସଫେଇ ଦେଇଛନ୍ତି ଖୁବ ଶୀଘ୍ର ଗାଁ ଗାଁରେ ପିଇବା ପାଣି ଟ୍ୟାଙ୍କର ମାଧ୍ୟମରେ ଯୋଗାଇ ଦିଆଯିବ ।