ବିଦ୍ୟୁତ କଟିଗଲା, ପାନୀୟ ଜଳ ଆସିଲାନି । ପିଇବା ପାଣି ପାଇଁ ଏବେ ଭରସା ପୋଖରୀ, ପାଣିଘାଟା ଗାଁରୁ ଆସିଲା ଅଭାବନୀୟ ଦୃଶ୍ୟ ।

157

କନକ ବ୍ୟୁରୋ : ଅଧିକାରୀଙ୍କ ଅବହେଳାର କରୁଣ ପରିଣତି । ଠିକ୍ ସମୟରେ ବିଜୁଳି ବିଲ୍ ପୈଠ କଲା ନାହିଁ ପଂଚାୟତ ଅଫିସ, କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାଣି ଟାଙ୍କିକୁ ପାୱାର କଟ୍ କରିଦେଲା ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟା ପାୱାର । ଫଳରେ ପାଣି ପାଇଁ ହଟହଟା ହେଲେ ଗ୍ରାମବାସୀ । ପାଇପରେ ପାଣି ଆସିଲା ନାହିଁ । ଆଉ ଏତିକି ବେଳକୁ ଗାଁ ନଳକୂଅ ମଧ୍ୟ ଅଚଳ ହୋଇଯାଇଛି । ତେଣୁ ଲୋକେ ପୋଖରୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ମାଲକାନଗିରି ଜିଲ୍ଲାରୁ ଆସିଛି ଏମିତି ଖବର ।

ବର୍ଷା ଦିନେ ପିଇବା ପାଣି ପାଇଁ କସରତ । ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ଦଣ୍ଡ ଭୋଗୁଛନ୍ତି ଗ୍ରାମବାସୀ । ପାଣି ଟାଙ୍କିରୁ ପାଣି ଆସିବା ବନ୍ଦ ହୋଇଯିବା ପରେ ଲୋକଙ୍କ ଚାହିଦା ମେଂଟାଉଛନ୍ତି ପୋଖରୀ ପାଣି । ମାଲକାନଗିରି ଜିଲ୍ଲା ପରକନମାଳା ପଂଚାୟତର ପାଣିଘାଟା ଗାଁରେ ଦେଖା ଦେଇଛି ଏଭଳି ପାଣି ସମସ୍ୟା ।

ବକେୟା ବିଜୁଳି ବିଲ୍ ପୈଠ ନ କରିବାରୁ ୫୦ ହଜାର ଲିଟରର ପାଣି ଟାଙ୍କିରୁ ବିଦ୍ୟୁତ ବିଚ୍ଛିନ୍ନ କରିଦେଇଛି ବିଦ୍ୟୁତ୍ ବିତରଣକାରୀ ସଂସ୍ଥା ଟାଟା ପାୱାର । ପରକନମାଳା ପଂଚାୟତରେ ୩ ଲକ୍ଷ ଟଙ୍କାର ବିଦ୍ୟୁତ୍ ବାକି ବାକି ରହିଛି । ଫଳରେ ପାଣି ଟାଙ୍କିରୁ ବିଦ୍ୟୁତ କାଟ୍ ହୋଇଛି । ଏପଟେ ଗାଁରେ ଥିବା ନଳକୂପ ମଧ୍ୟ ଅଚଳ ହୋଇଯାଇଛି । ତେଣୁ ବିକଳ୍ପ ବ୍ୟବସ୍ଥା ନପାଇ ଲୋକେ ଗାଁ ନିକଟ ପୋଖରୀ ପାଣିକୁ ବ୍ୟବହାର କରୁଛନ୍ତି ।