ପାଣି ପାଇଁ ରାସ୍ତାରେ ମାଠିଆ ଭାଙ୍ଗିଲେ ଗ୍ରାମବାସୀ । ନିଆଳିରେ ପ୍ଲା-କାର୍ଡ ଧରି ରାଲି କଲେ ଶହଶହ ଲୋକେ

59

କନକ ବ୍ୟୁରୋ: ଗାଁ ପାଖରେ ଜଳ ଯୋଗାଣ ପ୍ରକଳ୍ପ ଅଛି, କିନ୍ତୁ ଗାଁ ଲୋକଙ୍କ ଶୋଷ ମେଂଟୁନି । କାରଣ ୨୦୧୪ ମସିହାରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଏବେ ଅଚଳ ହୋଇ ପଡିଛି । ଏହାର ମରାମତି କରି ଗାଁକୁ ପାଣି ଯୋଗାଇ ଦେବା ଦାବିରେ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି ।

ହାତରେ ପ୍ଲା-କାର୍ଡ ଧରି ରାସ୍ତାରେ ଚାଲିଛନ୍ତି ଗ୍ରାମବାସୀ । ପାଣି ପାଇଁ ଉଭୟ ମହିଳା ଓ ପୁରୁଷ କରୁଛନ୍ତି ନାରାବାଜି । ରାସ୍ତା ଉପରେ ମାଠିଆ ଭାଙ୍ଗି ପାଣି ପାଇଁ ପ୍ରତିବାଦ କରିଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ବରିଷଣ ଗ୍ରାମବାସୀ । ପିଇବା ପାଇଁ ଆବଶ୍ୟକୀୟ ବିଶୁଦ୍ଧ ପାଣି ମିଳୁନଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇ ଆସିଛନ୍ତି ।

ଗ୍ରାମାଞ୍ଚଳ ଲୋକଙ୍କୁ ମଧୁର ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବସୁଧା ଯୋଜନା କରିଛନ୍ତି । ଏ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ହେଲେ ବରିଷଣ ଗାଁ ଭଳି ଅନେକ ଗାଁର ଜଳ କଷ୍ଟ ଦୂର ହୋଇ ପାରୁନାହିଁ । ବରିଷଣ ଗାଁରେ ୨୦୧୪ରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି, କିନ୍ତୁ ଲୋକେ ତା’ର ସୁଫଳ ପାଉନଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ପାନୀୟ ଜଳ ଯୋଗାଣ ପାଇଁ ଲୋକେ ଦାବି କରିଛନ୍ତି ।ପଞ୍ଚାୟତ ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପର ମରାମତି କରାନଗଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।