କନକ ବ୍ୟୁରୋ: ପାଣି ପାଇଁ ଯିବାକୁ ପଡ଼ୁଛି ୨ କିଲୋମିଟର । ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ମାଣିକ୍ୟପୁର ଗ୍ରାମପଂଚାୟତର ମଲ୍ଲିଝର ଗାଁରେ ସମସ୍ୟା । ୪୫ ପରିବାର ବସବାସ କରୁଥିବା ଏହି ଗାଁର ଏବେ ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ । ଗାଁରେ ଥିବା ଦୁଇଟି ନଳକୂଅ ଅଚଳ ହୋଇପଡ଼ିଛି । ସୋଲାର ସାହାଯ୍ୟରେ ପାଣି ଯୋଗାଇବା ପାଇଁ ଦୁଇଟି ଟ୍ୟାଙ୍କର ମଧ୍ୟରୁ ଗୋଟିଏ ଅଚଳ ଥିବା ବେଳେ ଅନ୍ୟଟିରୁ ଯଥେଷ୍ଟ ପାଣି ବାହାରୁ ନାହିଁ । ଫଳରେ ପିଇବା ପାଣି ପାଇ ଡହକ ବିକଳ ହେଉଛନ୍ତି ସ୍ଥାନୀୟ ଲୋକେ ।

ନିର୍ବାଚନ ଆସିଲେ ନେତା ଓ ପ୍ରଶାସନ ପ୍ରତିଶ୍ରୁତି ଦେଇ ଚାଲିଯାଆନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର ହୋଇପାରିଲା ନାହିଁ । ଯେଉଁଥିପାଇଁ ଗାଁ ଠାରୁ ୨ କିଲୋମିଟର ଦୂରରେ ଥିବା ଏକ ପାହାଡି ଝରଣା ଏବେ ଗାଁ ଲୋକଙ୍କ ସାହାଭରସା । ମୁଣ୍ଡରେ ଗରା ମାଠିଆ ଧରି ଚାଲିଚାଲି ପାହାଡିଆ ରାସ୍ତା ଦେଇ ବହୁ କଷ୍ଟରେ ପାଣି ଟୋପାଏ ସଂଗ୍ରହ କରିଥାନ୍ତି । ଏପରିକି ଖରାଦିନେ ଗାଧେଇବାକୁ ବି ପାଣି ଟୋପାଏ ପାଉନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପକ୍ଷରେ ସମଗ୍ର ଗାଁର ପୁରୁଷ ଓ ମହିଳା ଦିନମଜୁରିଆ । ନିଜର ନିତିଦିନିଆ ଗୁଜୁରାଣ ମେଂଟାଇବା ପାଇଁ ମୁଲ ଲାଗନ୍ତି । ହେଲେ ପିଇବା ପାଣି ସମସ୍ୟା ସେମାନଙ୍କ ସମସ୍ୟାକୁ ଦୁଇଗୁଣା କରିଦେଇଛି ।

ସେପଟେ ଝରଣା ପାଣି ପିଇବା ଯୋଗୁଁ ଲୋକେ ବିଭିନ୍ନ ରୋଗରେ ମଧ୍ୟ ପଡ଼ିଥାନ୍ତି । ଏପଟେ ଗାଁରେ କୌଣସି ପୋଖରି ନଥିବାରୁ ଖରାଦିନେ ଏହି ଜଳ ଯନ୍ତ୍ରଣା ଅଧିକ ହୋଇଯାଏ । ଝରଣାର ପାଣି ଶୁଖିଗଲେ ୪ କିଲୋ ମିଟର ଦୂରରେ ଥିବା ଗମ୍ବାରି ଗୁଡା ଗ୍ରାମକୁ ଯାଇ ପାଣି ଆଣିବାକୁ ପଡ଼ୁଥିବା କହିଛନ୍ତି ଗ୍ରାମବାସୀ ।