ଟୋପେ ପାଣି ପାଇଁ ବଢ଼ୁଛି ଲୋକଙ୍କ ଚିନ୍ତା । ହାଣ୍ଡି, ମାଠିଆ ଧରି ପିଇବା ପାଣି ପାଇଁ ପ୍ରତିଦିନ ହେଉଛି ସଂଘର୍ଷ ।

147

କନକ ବ୍ୟୁରୋ : ଖରାଦିନ ଆରମ୍ଭରୁ ପାଣିପାଇଁ ହାହାକାର । ପାଣି ଟୋପେ ପାଇଁ ଉପାନ୍ତ ଅଞ୍ଚଳରୁ ଉପକୂଳ, ଲୋକଙ୍କୁ ଖୁବ କଷ୍ଟ କରିବାକୁ ପଡ଼ୁଛି । ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ପାନୀୟ ଜଳ ସଂଗ୍ରହ କରିବାକୁ ଚାଲି ଚାଲି ବହୁ ଦୂର ଅତିକ୍ରମ କରିବାକୁ ପଡ଼ୁଛି । ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଏବେ ପାଣି ଟ୍ୟାଙ୍କର ହିଁ ଲୋକଙ୍କ ଭରସା ପାଲଟିଛି ।

ଖରା ଆରମ୍ଭରୁ ପାଣି ପାଇଁ ଡହଳବିକଳ । ବିଭିନ୍ନ ଜାଗାରୁ ଆସିଲାଣି ଜଳାଭାବର ଚିତ୍ର । ମହିଳା ମାନେ ମୁଣ୍ଡରେ ମାଠିଆ ଧରି ଯାଉଥିବାର ଦୃଶ୍ୟ ଆସିଛି ସ୍ୱାଭିମାନ ଅଞ୍ଚଳରୁ । ପାଣି ପାଇଁ ମୁଣ୍ଡରେ ମାଠିଆ ରଖି ଦୂର ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି ମହିଳାଙ୍କୁ । ମାଲକାନଗିରି ଚିତ୍ରକୋଣ୍ଡାରୁ ଆସିଥିବା ଏଭଳି ଦୃଶ୍ୟ ପାଣି ପାଇଁ ଏଠାକାର ଲୋକମାନ କେତେ ସମସ୍ୟା ଭୋଗୁଛନ୍ତି, ତାହା ବୟାନ କରୁଛି ।

ପାପରମେଟଲା ପଂଚାୟତ ଲୁଚାପାନୀ ଗାଁରେ ୫୦ଟି ଘର ଥିବା ବେଳେ ପ୍ରାୟ ୨ ଶହ ଲୋକ ରହନ୍ତି । ହେଲେ ଗାଁରେ ନଳକୂପ କି କୂଅଟି ନାହିଁ । ଫଳରେ ପାନୀୟ ଜଳ ସଂଗ୍ରହ ପାଇଁ ଗାଁଠୁ ଦୁଇ କିଲୋମିଟର ଦୂରରେ ଥିବା ଚୁଆରୁ ପାଣି ଆଣି ଚଳିବାକୁ ବାଧ୍ୟ ହେଉଛନ୍ତି ଗାଁଲୋକ ।

ପାଣି ଟାଙ୍କି ପାଖରେ ଜମା ହୋଇଛନ୍ତି ଲୋକେ । ଏଭଳି ଦୃଶ୍ୟ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରୁ । ପିଇବା ପାଣି ପାଇଁ ପାଣି ଟ୍ୟାଙ୍କର ହିଁ ଭରସା । ତେଣୁ ସେଠାରେ ଭିଡ଼ ଜମାଉଛନ୍ତି ଲୋକେ । ବ୍ଲକର ମଙ୍ଗଳପୁର ଏବଂ ବରକନ୍ଧା ପଞ୍ଚାୟତରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଲୁଣା ପାଣି ବାହାରୁଥିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ।