ଜଳ ଯନ୍ତ୍ରଣାର ଅଭାବନୀୟ ଚିତ୍ର । ଡାକ୍ତରଖାନରେ ପାଣି ଟିକିଏ ପାଇବା ପାଇଁ ସଂଘର୍ଷ କରୁଛନ୍ତି ରୋଗୀ ।

33

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ପାଣି ପାଇଁ ସଂଘର୍ଷ କରୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ । ପାଣି ଟିକିଏ ପାଇଁ ବୋତଲ ଧରି ଡାକ୍ତରଖାନା ବାହାରକୁ ଯାଉଛନ୍ତି । ଡାକ୍ତରଖାନା ପରିସରରେ ଥିବା ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡିବା ପରେ ଡହ ଡହ ଖରାରେ ଡାକ୍ତରଖାନା ବାହାରେ ଥିବା ବୋରିଙ୍ଗ ଉପରେ ନିର୍ଭର କରୁଛନ୍ତି ରୋଗୀଙ୍କ ସମ୍ପର୍କୀୟ । ତେବେ ବିଡମ୍ବନା ହେଉଛି ଯେ, ସବୁ ଜାଣି ଚୁପ ବସିଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ସମାଧାନର ବାଟ ବାହାର ନ କରି ଅନ୍ୟ ବିଭାଗ ଉପରେ ଦୋଷ ଲଦୁଛି ସ୍ୱାସ୍ଥ୍ୟ ବିଭାଗ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଗାଇନିକ, ପେଡିଆଟ୍ରିକ, ମେଡିସିନ, ଓର୍ଥୋପେଡିକ, ଏସ.ଏନ.ସି.ୟୁ, ଜେରିଆଟିକ ୱାର୍ଡ ପାଇଁ ରହିଛି ମାତ୍ର ଗୋଟିଏ ଥଣ୍ଡା ଜଳ ଯୋଗାଣ ମେସିନ । ତାହା ପୁଣି ମାସ ମାସ ଧରି ଅଚଳ ହୋଇ ପଡିରହିଛି । ତେଣୁ ଡହଡହ ଖରାରେ ପାଣି ପାଇଁ ଡାକ୍ତରଖାନା ଠାରୁ ବହୁ ଦୂରରେ ଥିବା ଏକ ନଳକୂଅ ଉପରେ ନିର୍ଭର କରୁଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ।

ଡାକ୍ତରଖାନା ପରିସରରେ ଥିବା ଦୁଇଟି ନଳକୂଅରୁ ଅଳ୍ପଅଳ୍ପ ପାଣି ବାହାରୁଥିବା ବେଳେ ତାହା ଗାଧୁଆ ଓ ସଫା କାମରେ ଲାଗୁଛି । ସେପଟେ ଡାକ୍ତରଖାନା ପ୍ରବେଶ ଦ୍ୱାରରେ ଏକ ଘରୋଇ ସଂସ୍ଥା ପାନୀୟ ଜଳ ଯୋଗାଣ ମେସିନ ବସାଇଛି । ସେଥିରୁ କେତେବେଳେ କେମିତି ପାଣି ବାହାରୁଥିବା ବେଳେ ତାହା ସମୁଦ୍ରକୁ ସଂଖେ ପରି ଲାଗୁଛି । ଡାକ୍ତରଖାନାରେ ପାଣି ସମସ୍ୟା ସମସ୍ତଙ୍କୁ ଚକିତ କରିଥିବା ବେଳେ ଜଳ ଯୋଗାଣ ପାଇଁ ବିକଳ୍ପ ବ୍ୟବସ୍ଥା କଥା ଚିନ୍ତା ନକରି ଜନସ୍ୱାସ୍ଥ୍ୟ ବିଭାଗ ଉପରେ ଦୋଷ ଲଦିଛନ୍ତି ଚିକିତ୍ସାଳୟ ଦାୟିତ୍ୱରେ ଥିବା ଏ.ଡି.ଏମ.ଓ । ତେବେ ଆଗକୁ ଖରା ଆହୁରି ବଢିବାକୁ ଥିବା ବେଳେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଚିନ୍ତାରେ ପଡିଛନ୍ତି ।