କନକ ବ୍ୟୁରୋ : ପାନୀୟ ଜଳ ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ହଜାର ହଜାର ଲୋକ । ଖରାଦିନେ କୂଅ, ପୋଖରୀଠୁ ଆରମ୍ଭ କରି ନଳକୂପ ପାଣି ଲୁଣା ହୋଇଯିବାରୁ ପାନୀୟଜଳ ସମସ୍ୟା ଭୋଗୁଛନ୍ତି ଲୋକେ । ନଦୀ ପାଣିକୁ ପାନୀୟ ଉପଯୋଗୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇବେଳେ ନଦୀ ପାଣି ଲୁଣା ହୋଇଯିବାରୁ କାମଦେଉନି ମୋବାଇଲ୍ ୱାଟର ଟ୍ରିଟମେଂଟ ପ୍ଲାଣ୍ଟ ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକରେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ପାନୀୟ ଜଳ ସମସ୍ୟା । ସମୁଦ୍ରଠାରୁ ଅଳ୍ପ ଦୂରରେ ଥିବା ମହାକାଳପଡା ବ୍ଲକରେ ଖରାଦିନ ଆସିଲେ କୂଅ, ପୋଖରୀ ସହ ନଦୀ ପାଣି ମଧ୍ୟ ଲୁଣି ହୋଇଯାଏ । ଏପରିକି ସରକାର ବସେଇଥିବା ନଳକୂପ ଏବଂ ପାନୀୟ ଜଳ ପ୍ରକଳ୍ପରୁ ମଧ୍ୟ ପିଇବା ଉପଯୋଗୀ ପାଣି ବାହାରୁ ନାହିଁ । ଫଳରେ ମହାକାଳପଡ଼ା ବ୍ଲକର ମଙ୍ଗଳପୁର ଏବଂ ବରକନ୍ଧା ପଂଚାୟତର ହଜାର ହଜାର ଲୋକ ରୋଷେଇ ଏବଂ ଗାଧୋଇବା ପାଇଁ ଲୁଣା ନଦୀର ପାଣିକୁ ବ୍ୟବହାର କରୁଛନ୍ତି । ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନିୟ ଜଳ ଯୋଗାଇ ଦିଆଯାଉଥିଲେ ତାହା ଯଥେଷ୍ଟ ନୁହେଁ । ୪ ଦିନରେ ଥରେ ଟ୍ୟାଙ୍କର ଆସୁଥିବାରୁ ପାଣି ନେବା ପାଇଁ ହାଣ୍ଡି, ମାଠିଆ ଧରି ଭିଡ ଲଗାଇଛନ୍ତି ଲୋକେ ।
ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ ସ୍ଥାନୀୟ ଅଞ୍ଚଳରେ ୨ଟିି ମୋବାଇଲ୍ ୱାଟର ଟ୍ରିଟମେଂଟ ପ୍ଲାଣ୍ଟ ପ୍ରତିଷ୍ଠା କରଯାଇଥିଲା । ନଦୀ ଜଳକୁ ବିଶୁଦ୍ଧ କରିବା ସହ ପାନୀୟ ଉପଯୋଗୀ କରି ସ୍ଥାନୀୟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ଯୋଗାଇ ଦିଆଯାଉଥିଲା । ହେଲେ ଚଳିତ ବର୍ଷ ପ୍ରାୟ ମାର୍ଚ୍ଚ ମାସରୁ ନଦୀ ଜଳ ଲୁଣିଆ ହୋଇଯାଇଥିବାରୁ ବିଶୁଦ୍ଧିକରଣ ସମ୍ଭବ ହୋଇପାରୁନାହିଁ । ଫଳରେ ୧୦ ଦିନରୁ ଉର୍ଦ୍ଧ ହେବ ବନ୍ଦ ହୋଇପଡିଛି ଦୁଇଟି ପ୍ଲାଣ୍ଟ । ତେବେ ମହାକାଳପଡା ବ୍ଲକରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଛି । ପ୍ରକଳ୍ପ ଶେଷ ହେଲେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଆଶାବାନ୍ଧି ରହିଛନ୍ତି ବ୍ଲକବାସୀ । ପାଣି ପାଇଁ ଡହଳବିକଳ ହେଉଥିବା ହଜାର ହଜାର ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ଦେବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି ।