ଖରା ଦିନ ଆଗରୁ ଜଳକଷ୍ଟ: ପାଣି ଟୋପେ ପାଇଁ ଡହଳ ବିକଳ ପଣ୍ଡୁଆ ଗାଁ ଲୋକେ, ପିଇବା ପାଣି ପାଇଁ ପୋଖରୀ ପାଲଟିଛି ଭରସା ।

119

କନକ ବ୍ୟୁରୋ: ଖରା ଦିନ ଆଗରୁ ଜଳକଷ୍ଟ । କାମ କରୁନି ପାନୀୟ ଜଳ ପ୍ରକଳ୍ପ, ସୋଲାର ପ୍ରକଳ୍ପ ଅଚଳ । ପାଣି ଟୋପେ ପାଇଁ ଡହଳ ବିକଳ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଂଚାୟତର ପଣ୍ଡୁଆ ଗାଁର ହରିଜନ ସାହିରେ ପ୍ରାୟ ୨ଶହ ପରିବାର । ରାତି ପାହିଲେ ଲୋକଙ୍କୁ ଘାରୁଛି ପିଇବା ପାଣି ଚିନ୍ତା । ଗାଁରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ହୋଇଛି । ହେଲେ ସେଥିରେ ଆସୁନି ପାଣି ।

ସେହିପରି ୩ଟି ନଳକୂପ ଅଛି ହେଲେ ସବୁ ଅଚଳ । ଲୋକଙ୍କ ସମସ୍ୟାକୁ ଦେଖି ପ୍ରାୟ ବର୍ଷକ ତଳେ ଓରିଡା ତରଫରୁ ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ବସାଯାଇଥିଲା, ହେଲେ ତାହା ୪ମାସ ହେଲା ଅଚଳ ହୋଇପଡିଛି । ପିଇବା ପାଣି ପାଇଁ ପଡୋଶୀ ମାଛିଆ ଗାଁର ଏକମାତ୍ର ପୋଖରୀ ଏବେ ପାଲଟିଛି ଭରଷା । ଜଙ୍ଗଲ ରାସ୍ତା ଦେଇ ୨କିମି ଗଲେ ଏହି ପୋଖରୀ ପଡେ । ଏନେଇ ସ୍ଥାନୀୟ ପ୍ରଶାସନକୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।