ଦିଲ୍ଲୀରେ ଭୟଙ୍କର ଜଳ ସଂକଟ । ଜଳ ଯୋଗାଣ ବନ୍ଦ କରିଦେଲେ ହିମାଚଳ ସରକାର, ବଢିଲା ସମସ୍ୟା

182

କନକ ବ୍ୟୁରୋ : ଦିଲ୍ଲୀରେ ଭୟଙ୍କର ପାଣି ସଂକଟ । ଦେଶର ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରକାର ସୁବିଧି ମିଳୁଥିବା ବେଳେ ପାଣି ଟୋପେ ପାଇଁ କଲବଲ ହେଉଛନ୍ତି ଲୋକେ । ସକାଳୁ ସକାଳୁ ଗୋଟିଏ ପାଣି ଟ୍ୟାଙ୍କର ଆସି ପହଞ୍ଚୁଛି, ଆଉ ଟ୍ୟାଙ୍କର ପହଞ୍ଚୁ ପହଞ୍ଚୁ ଲୋକେ ପାଣି ପାଇଁ ଟ୍ୟାଙ୍କର ଉପରେ ଚଢିଯାଉଛନ୍ତି । ପାଇପ୍ ଲଗାଇ ଯିଏ ପାଉଛି ପାଣି ଭରିକରି ନେଇଯାଉଛି । ଏପରି ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା, ଯାହା ବର୍ତ୍ତମାନ ଦେଖିବାକୁ ମିଳୁଛି ।

ସେପଟେ କେଜ୍ରିୱାଲ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀରେ ପ୍ରତିଦିନ ୫୦ ମିଲିୟନ୍ ଗ୍ୟାଲନ୍ ଜଳର ଅଭାବ ରହିଛି । ପାଣିର ଗୋଟିଏ କିମ୍ବା ଦୁଇଟି ଟ୍ୟାଙ୍କର ଉପରେ ପୂରା କଲୋନିକୁ ନିର୍ଭର ହୋଇ ରହିବାକୁ ପଡୁଛି । ତେବେ ଜଳ ସଂକଟ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଘଣ୍ଟା ଘଣ୍ଟା ଧରି ଶୁଣାଣି ହୋଇଥିଲା । କିନ୍ତୁ କୌଣସି ସ୍ଥାୟୀ ସମାଧାନ ବାହାର କରିବା ବଦଳରେ ଦିଲ୍ଲୀରେ ରାଜନୀତି ଗରମ ହୋଇଛି । ଦିଲ୍ଲୀ ସରକାର କହିଛନ୍ତି ଯେ, ଜଳ ସଂକଟ ପାଇଁ ଟ୍ୟାଙ୍କର ମାଫିଆ ଦାୟୀ । ସେପଟେ ବିଜେପି କହିଛି, ଦିଲ୍ଲୀବାସୀ ଯଥାଶୀଘ୍ର ସରକାରକୁ ହଟାଇବା ଉଚିତ୍ । ଅନ୍ୟପଟେ ଜଳ ସଂକଟ ମାମଲାରେ ନିଜର ପ୍ରତିଶ୍ରୁତିରୁ ଓହରିଯାଇଛନ୍ତି ହିମାଚଳ ସରକାର । ପୂର୍ବରୁ ହିମାଚଳ ସରକାର ୧୩୭ କ୍ୟୁସେକ୍ ଜଳ ଦିଲ୍ଲୀକୁ ପଠାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ପାଣି ସପ୍ଲାଏ ବନ୍ଦ କରିଦେଇଛନ୍ତି ହିମାଚଳ ସରକାର । ଯହାଫଳରେ ଦିଲ୍ଲୀରେ ଜଳ ସଂକଟ ଆହୁରି ବଢିଯାଇଛି ।