କରୋନା ସଂକ୍ରମଣ ଠାରୁ ଉତ୍କଟ ହେଉଛି ଜଳ ସମସ୍ୟା । ବୈଶାଖ ମାସ ଆରମ୍ଭରୁ ଦେଖା ଦେଇଛି ଜଳ ସଂକଟ, ଗାଁର ନଳକୂପରୁ ବାହାରୁନି ପାଣି ।

135

କନକ ବ୍ୟୁରୋ: କରୋନା ସଂକ୍ରମଣ ଠାରୁ ଉତ୍କଟ ହେଉଛି ଜଳ ସମସ୍ୟା । ବୈଶାଖ ମାସ ଆରମ୍ଭରୁ ଦେଖା ଦେଇଛି ଜଳ ସଂକଟ । ଗାଁର ନଳକୂପରୁ ବାହାରୁନି ପାଣି । ଅନ୍ୟ କୌଣସି ବାଟ ନଥିବାରୁ ଲୋକେ ପୋଖରୀ ଜଳକୁ ବ୍ୟବହାର ଉପଯୋଗୀ କରୁଛନ୍ତି । ଖରା ଆରମ୍ଭରୁ ଏପରି ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇ ଦେଲାନି । ଏବେ ଏହି ସଂକଟକୁ ଦୂର କରିବା ପାଇଁ ଲୋକେ ସ୍ଥାୟୀ ସମସ୍ୟା ପାଇଁ ଦାବି କରୁଛନ୍ତି ।

ପାଣି ପାଇଁ ଗାଁ ପୋଖରୀରେ ମହିଳାଙ୍କ ଭିଡ । କରୋନା ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ହେଲେ ସକାଳ ହେବା କ୍ଷଣି ବାଲଟି ଧରି ପୋଖରୀ ପାଖରେ ପହଂଚି ଯାଉଛନ୍ତି ମହିଳା । କାରଣ ଏଇଠୁ ପାଣି ନେଲେ ପରିବାରର ଶୋଷ ମେଂଟିବ, ନହେଲେ ଶୋଶିଲା ରହିବାକୁ ପଡିବ । ଖରାଦିନେ ଗାଁ ନଳକୂଅରୁ ପାଣି ବାହାରୁ ନଥିବାରୁ ପୋଖରୀ ପାଣି ଉପରେ ନିର୍ଭର କରୁଛନ୍ତି ପୁରୀ ଗୋପ ବ୍ଲକ ତରଣା ଗ୍ରାମବାସୀ । ଗାଇଗୋରୁ ଠାରୁ ଆରମ୍ଭ କରି ମଣିଷ, ସମସ୍ତେ ଗାଧଉଥିବା ଏହି ପୋଖରୀରୁ ପାଣି ନେଇ ଫୁଟାଇ ପିଉଥିବା କହିଛନ୍ତି ଗ୍ରାମବାସୀ ।

ସମାନ ଅବସ୍ଥା ଦେଖିବାକୁ ମିଳିଛି ଗଂଜାମ ପୋଲସରା ବ୍ଲକର ମଥୁରାଖଦାଲ ଗାଁରେ । ବିଶୁଦ୍ଧ ପିଇବା ପାଣି ଢୋକେ ପାଉ ନାହାନ୍ତି ଗ୍ରାମବାସୀ । ଖରାର ତାତି ସାଙ୍ଗକୁ ତାଳ ଦେଇ ବଢୁଛି ଜଳକଷ୍ଟ । ୫ବର୍ଷ ହେବ ଜଳ ଯନ୍ତ୍ରଣା ଭୋଗୁଛନ୍ତି ଗ୍ରାମବାସୀ । ଗାଁରେ ପିଇବା ପାଣି ଯୋଗାଇବା ପାଇଁ ଟାଙ୍କି ନିର୍ମାଣ ହୋଇଛି ହେଲେ ଲୋକଙ୍କ ଶୋଷ ମେଂଟୁ ନାହିଁ । ଗାଁକୁ ପାଇପ୍ ସଂଯୋଗ କାମ ଅଧାରେ ପଡ଼ିଥିବା ବେଳେ ପ୍ରତି ବର୍ଷ ଗ୍ରୀଷ୍ମଋତୁରେ ପାଣି ପାଇଁ ହଇରାଣ ହୁଅନ୍ତି ଗ୍ରାମବାସୀ ।

କରୋନା ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । ସମସ୍ତେ ଘରେ ରହିଥିବା ବେଳେ ଅଧିକ ପିଇବା ପାଣିର ଆବଶ୍ୟକତା ରହିଛି । ହେଲେ ଏହି ସମୟରେ ଗାଁରେ ପିଇବା ପାଣି ବୁନ୍ଦାଏ ମିଳୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମାଚଂଳର ଲୋକେ ।