ପାଣି ସମସ୍ୟାକୁ ନେଇ ତାତିଲେ: ବ୍ଲକ କାର୍ଯ୍ୟାଳୟ ଘେରାଉ କଲେ

60

କନକ ବ୍ୟୁରୋ: ଗ୍ରୀଷ୍ମ ରୁତୁ ଆରମ୍ଭରୁ ବଢିଲାଣି ଜଳ କଷ୍ଟ । ନଦୀ ନାଳ, ବନ୍ଧ, ପୋଖରୀ ସବୁ ଶୁଖିଗଲାଣି । ବିଶେଷ କରି ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଲେଣି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଉକ୍ରଟ ପାନୀୟ ଜଳ ସଂକଟର ଦୃଶ୍ୟ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ପାଟିତୁଣ୍ଡ, ହୋହଲ୍ଲା । ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ଘେରିଛନ୍ତି ଗ୍ରାମବାସୀ । ଗରା, ମାଠିଆ, ବାଲ୍ଟି ଧରି ଧାରଣାରେ ବସିଛନ୍ତି ଅମାଲାଭଟା ଗାଁର ମହିଳାମାନେ । ଅଭିଯୋଗ କୋକଡା ପଂଚାୟତର ବୋକଡ ଓ ଆମ୍ଲାଭଟା ଗାଁ ପାଇଁ ଗୋଟିଏ ପାଣି ଟାଙ୍କି ରହିଛି । କିନ୍ତୁ ଟାଙ୍କିରୁ କେବଳ ବୋକଡା ଗ୍ରାମବାସୀଙ୍କୁ ପାଣି ଯୋଗାଯାଉଛି, ଆଉ ଆମ୍ଲଭଟା ଗାଁ ଲୋକଙ୍କୁ ନଦୀ ନାଳ ଭରସା । ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନକଲେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ଦୁଇ ତିନି ଦିନ ଭିତରେ ପାଣି ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ କହିଛନ୍ତି ।

ଖରା ବଢୁଛି, ଟୋପେ ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଗରା, ମାଠିଆ ବାଲଟି ଧରି ମହିଳାଙ୍କ ରାସ୍ତାରୋକ । ଗଂଜାମ ଜିଲ୍ଲା ପୁରୁଷୋତମପୁର ବ୍ଲକର ଦାସିଆମାରୀପଲ୍ଲୀ ଗାଁର ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ସେପଟେ ଗଂଜାମ ଜିୁୁଲ୍ଲା ରମ୍ଭା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ମାସେ ହେଲା ରମ୍ଭା ଏନଏସିର ୧୨ ନଂବନ ଓ ୨ ନଂବର ୱାର୍ଡକୁ ପାଣି ଆସୁନଥିବା ଅଭିଯୋଗ ଆଣି ରାସ୍ତାରେ ଗରା ବାଲଟି ରଖି ରାସ୍ତାରୋକ କରିଛନ୍ତି । ଫଳରେ ଯାତାୟତ ପ୍ରଭାବିତ ହୋଇଛି ।

ନିଆଳିରେ ବସୁଧା ଯୋଜନାର ବିକଳ ଚିତ୍ର । ନିଆଳି ପଂଚାୟତ ନାହାକ ସାହିରେ ଟାଙ୍କି ଅଛି ଘରେ ଘରେ ଷ୍ଟାଣ୍ଡପୋଷ୍ଟ ବସିଛି । ହେଲେ ପାଣି ଆସୁନାହିଁ । ନଳକୁପ ପାଖେ ବାଲଟିଏ ପାଣି ପାଇଁ ଲୋକ ଘଂଟା ଘଂଟା ଅପେକ୍ଷା କରୁଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ଗାଁରେ ପାଣି ସୁବିଧା ନ ହେଲେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗଜପତିରୁ ଆସିଛି ଜଳ ସଂକଟର ଭିନ୍ନ ଦୃଶ୍ୟ । ମୋହନା ବ୍ଲକ ଡୁଣ୍ଡିଗୁଡା ଗାଁ ଲୋକ ଜଳ ସଂକଟ ସମାଧାନ ପାଇଁ ନିଜସ୍ୱ ଉଦ୍ୟମରେ କୂଅ ଖୋଲିଛନ୍ତି । ହେଲେ କୂଅରୁ ପଙ୍କିଳ ପାଣି ବାହାରୁଥିବାରୁ ସମାଧାନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।