ସଙ୍କଟରେ ଚାଷୀ ! ଖରା ଦିନ ଆରମ୍ଭ ନହେଉଣୁ ପାଣି ସମସ୍ୟା, ଜଳସେଚନ ବିଭାଗର ଅଣଦେଖା ଯୋଗୁଁ ଶୁଖିଲା ପଡିଛି କେନାଲ ।

89

କନକ ବ୍ୟୁରୋ : ସଙ୍କଟରେ ଚାଷୀ । ଖରା ଦିନ ଆରମ୍ଭ ନହେଉଣୁ ଜଳ ସମସ୍ୟା ଦେଖାଦେଇଛି । ରାଜ୍ୟ ସରକାର ଜଳସେଚନ ବିଭାଗର ଅଣଦେଖା ଯୋଗୁଁ ଶୁଖିଲା ପଡିଛି କେନାଲ । ରବି ଫସଲ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି କଟକ ନିଆଳିର ଚାଷୀ ।

ବର୍ଷ ବର୍ଷ ଧରି ଶୁଖିଲା ପଡିଛି କେନାଲ । ଦୀର୍ଘ ଦିନ ଧରି ଅଭିଯୋଗ ପରେ ବି ହେଉନି ସମସ୍ୟାର ସମାଧାନ । ଜଳସମ୍ପଦ ବିଭାଗ ପକ୍ଷରୁ କଟକ ଜିଲ୍ଲା ନିଆଳି ଅଂଚଳରେ ଅନେକ କେନାଲ ଖନନ ହୋଇଥିଲେ ସୁଦ୍ଧା ସେଗୁଡିକ ଏବେ ପୋତି ହେବାରେ ଲାଗିଛି । ନିଆଳି ଅଂଚଳର କପାସୀ ସଣ୍ଡାଷ, ପିତାପଡା, କୃଷ୍ଣପ୍ରସାଦ ଆଦି ୧୦ରୁ ଅଧିକ ପଂଚାୟତରେ ପହଂଚୁନି ପାଣି । ଫଳରେ କେନାଲ ପାଣି ନପାଇ ଚାଷ କାମ କରିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଚାଷୀ । କାନପୁର କେବିସିରୁ ବାହାରୁଥିବା ମାଇନର କେନାଲ ସହ ଉଠା ଜଳସେଚନର ଅବସ୍ଥା ନକହିବା ଭଲ ।

କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେନାଲ ମରାମତି ହୋଇପାରୁନାହିଁ । ଫଳରେ ବିଲ ମୁଣ୍ଡକୁ ପହଂଚି ପାରୁନି ପାଣି । ଜଳସମ୍ପଦ ବିଭାଗ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଏପରିକି ଜନପ୍ରତିନିଧିଙ୍କୁ ଗୁହାରୀ କରିଥିଲେ ବି ସମସ୍ୟାର ସମାଧାନ ହେଉନାହିଁ । ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ଚାଷ କରୁଥିବା ଫସଲ ପାଣି ବିନା ଉଜୁଡିଯାଉଛି ।