ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଉପାନ୍ତ ଅଂଚଳର ଲୋକେ । ରାତି ଅଧରୁ ଲାଗୁଛି ଲମ୍ବା ଲାଇନ୍ ।

73

କନକ ବ୍ୟୁରୋ: ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପ ସହ ତାଳ ଦେଇ ଚାଲିଛି ଜଳ ସଙ୍କଟ । ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଉପାନ୍ତ ଅଞ୍ଚଳରେ ଥିବା ଗୁଣ୍ଠାବେଡା ପଞ୍ଚାୟତର ଆର.ଏ.ସି-୧୫ ଗ୍ରାମବାସୀ । ଏହି ଗ୍ରାମରେ ପିଇବା ପାଣି ପାଇଁ ସକାଳୁ ଲାଗେ ଲମ୍ବା ଲାଇନ । ଘଣ୍ଟା ଘଣ୍ଟା ଧରି ଟିକିଏ ପିଇବା ପାଣି ସଂଗ୍ରହ କରିବା ପାଇଁ ଅପେକ୍ଷା କରିବାକୁ ପଡିଥାଏ ନଳକୂପ ଓ ଚୁଆ ମୂଳରେ ।

ଘନ ଅନ୍ଧାର ଭିତରେ ମହିଳାଙ୍କ ଧାଡି ଆଉ ପାଖରେ ଅଛି ଖାଲି ଗରା । ପାଣି ପାଇଁ ଧାଡିରେ ଠିଆ ହୋଇଛନ୍ତି ଆଦିବାସୀ ମହିଳା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛିି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆରଏସି ୧୫ ଗାଁର । ଦିନେ କି ଦୁଇ ଦିନ ନୁହେଁ ସବୁ ଦିନ ପାଣି ପାଇଁ ରାତିରୁ ଦିନ ଯାଏ ଅପେକ୍ଷା କରିବାକୁ ପଡେ । ହେଲେ ସବୁ ଗ୍ରାମବାସୀଙ୍କୁ ନଳକୂଅରୁ ପାଣି ମିଳେ ନାହିଁ । ଗାଁରେ ଥିବା ଏକମାତ୍ର ନଳକୂଅରୁ ଏତେ କମ୍ ପାଣି ବାହାରୁଛି ଯେ, ଗୋଟିଏ ବାଲ୍ଟି ପାଣି ପାଇଁ ଘଂଟା ଘଂଟା ଧରି କସରତ କରିବାକୁ ପଡୁଛି ।

ଆରଏସି ୧୫ ଗାଁରେ ଥିବା ନଳକୂଅରୁ ୫ରୁ ୧୦ ବାଲଟି ପାଣି ବାହାରିବା ପରେ ଆଉ ବାହାରେ ନାହିଁ । ତେଣୁ ରାତି ଅଧିରୁ ଧାଡିରେ ଠିଆ ହୋଇଥିଲେ ବି ନିରାଶ ହେବାକୁ ପଡେ । ଗରା-ବାଲଟି ମୁଣ୍ଡାଇ ପାଣି ପାଇଁ ଗାଁ ଠାରୁ ଦୂରରେ ଥିବା ଚୂଆକୁ ଯିବାକୁ ପଡେ । ଆଉ ଯେଉଁ ନାଳ ଚୂଆର ଗୋଳିଆ ପାଇଁ ବ୍ୟବହାର ଉପଯୋଗୀ ନୁହେଁ, ତାକୁ ଖାଇବା ପାଇଁ ସଂଗ୍ରହ କରନ୍ତି ଗୁଣ୍ଠାବେଡା ପଂଚାୟତର କିଛି ଗ୍ରାମବାସୀ ।ନାଳ ଚୂଆରୁ ଗୋଳିଆ ପାଣି ସଂଗ୍ରହ କରି ପରିବାର ଆବଶ୍ୟକତା ସିନା ମେଂଟି ଯାଉଛି । କିନ୍ତୁ ଦୂଷିତ ପାଣି ପିଇ ରୋଗାକ୍ରାନ୍ତ ହେବାକୁ ପଡୁଛି । ଏନେଇ ଗ୍ରାମବାସୀ ଉଭୟ ମୌଖିକ ଓ ଲିଖିତ ଭାବେ ଅଭିଯୋଗ କରିଥିଲେ ବି ପ୍ରଶାସନ ନଜର ଦେଉନଥିବା ଅଭିଯୋଗ ହୋଇଛି ।