ଏବେଠୁ ଘାରିଲାଣି ପାଣି ଚିନ୍ତା । କୁଚିଣ୍ଡାବାସୀଙ୍କୁ କଷ୍ଟ ଦେଉଛି ଜଳ ସମସ୍ୟା, ରାତି ପାହିଲେ ବାଲଟି ଧରି ଭିଡ ଜମାଉଛନ୍ତି ଗାଁର ଝିଅ-ବୋହୂ ।

193

କନକ ବ୍ୟୁରୋ : ଜଳ ହିଁ ଜୀବନ । ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ । ହେଲେ ଖରା ଦିନ ନଆସୁଣୁ ଆରମ୍ଭ ହୋଇଗଲାଣି ଜଳ କଷ୍ଟ । ଦିନେ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ପାଣି ବାଲଟିଏ ପାଇଁ ସଂଘର୍ଷ କରୁଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଏନଏସି ସ୍ୱାଧୀନ ପଡାର ଗ୍ରାମବାସୀ । ରାତି ପାହିଲେ ଏମିତି ଏଠାରେ ଗରା ବାଲଟି ଧରି ଭିଡ ଜମାଉଛନ୍ତି ଗାଁର ଝିଅ-ବୋହୂ । ଗାଁରେ ନା ଏଠି ନଳକୂଅ ଅଛି ନା କୁଅ ଅବା ପୋଖରୀ । ଦିନକୁ ୧୦ରୁ ୧୫ ମିନିଟ୍ ଆସୁଛି ପିଏଚଡି ବିଭାଗର ସପ୍ଲାଇ ପାଣି । ତେଣୁ ସେହି ପାଣିକୁ ନେଇ ପରିବାରର ଶୋଷ ମେଂଟାଇବା ପାଇଁ ଏମିତି ସଂଘର୍ଷ କରିବାକୁ ପଡୁଛି ।

ଦିନ ଦିନେ ଏମିତି ବି ହୁଏ ଜମାରୁ ପାଣି ଆସେ ନାହିଁ, ଫଳରେ ଶୋଷରେ ରହିବାକୁ ପଡେ । ଏନେଇ ବର୍ଷ ବର୍ଷ ଧରି ପଡାବାସୀ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ସେପଟେ ସ୍ୱାଧିନପଡାର ଜଳ ସମସ୍ୟାକୁ ସ୍ୱୀକାର କରିଛନ୍ତି କୁଚିଣ୍ଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ । ପଡାବାସୀଙ୍କୁ ପାଣି ଯୋଗାଇବା ପାଇଁ ନଳକୂଅ ଖୋଳା ହୋଇଛି, ହେଲେ ସେଥିରୁ ପାଣି ବାହାରୁ ନାହିଁ । ତେବେ ଖରା ଦିନ ଆଗରୁ ଜଳ ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।