ଅର୍କକ୍ଷେତ୍ରରେ ପାଣି ପାଇଁ ହଟହଟା । ଟାଣ ଖରାରେ ମିଳୁନି ପିଇବା ପାଣି । କୋଣାର୍କ ସୂର୍ଯ୍ୟମନ୍ଦିର ବୁଲିବାକୁ ଆସି ପର୍ଯ୍ୟଟକ ଅଶାନ୍ତି ।

125

କନକ ବ୍ୟୁରୋ: ପ୍ରବଳ ଖରାରେ କୋଣାର୍କ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପାଣି ଅଡୁଆ । ପାଖରେ ଥିବା ପାଣି ସରିଗଲେ ବଢୁଛି ସମସ୍ୟା । ଶୋଷ ମେଂଟାଇବା ପାଇଁ ମିଳୁନି ପାଣିି । ସୂର୍ଯ୍ୟମନ୍ଦିରରେ ପିଇବା ପାଣି ପାଇଁ ହାହାକାର ସ୍ଥିତି ଉପୁଜିଛି । ପ୍ରଚଣ୍ଡ ଖରାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ମୁଣ୍ଡ ଉପରେ ଖରା, ତଳେ ତତଲା ଚଟାଣ, ଏହାରି ଭିତରେ କୁନି କୁନି ପିଲା ପାଣିମୁନ୍ଦାଏ ପିଇବା ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି । ଗୋଟିଏ ନଳକୂପ ପାଖରେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଭିଡ ଜମାଉଛନ୍ତି । ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି ।

ପ୍ରତିଦିନ ହଜାର ହଜାରର ପର୍ଯ୍ୟଟକ ବିଶ୍ୱ ଐତିହ୍ୟ କୋଣାର୍କ ବୁଲି ଆସନ୍ତି । ଚନ୍ଦ୍ରଭାଗା ବେଳଭୂମି ଓ ସୂର୍ଯ୍ୟମନ୍ଦିର ବୁଲି ଦେଖିଥାନ୍ତି । ହେଲେ ଏଠାରେ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି । ପର୍ଯ୍ୟଟନ ସ୍ଥଳିରେ ପିଇବା ପାଣି ଯୋଗାଇବା ଏଏସଆଇ ଗୁରୁତ୍ୱ ଦେଉନଥିବା ପର୍ଯର୍୍ୟଟକଙ୍କୁ ବ୍ୟଥିତ କରିଛି । ମନ୍ଦିରର ଉତର ପଶ୍ଚିମ କୋଶରେ ଏକ ମାତ୍ର ପାଇପ୍ ଟ୍ୟାବ୍ ଓ ଗୋଟିଏ ପାଣି ମେସିନ୍ ଲାଗିଛି । ମେସିନରେ ୩ଟି ଟ୍ୟାପ୍ ଲାଗିଛି । ସେଥିରୁ ପୁଣି ଗୋଟିଏ ଅଚଳ ଅଚଳ ହୋଇଯାଇଛି । ଏଭଳି ସ୍ଥିତିରେ କୋଣାର୍କ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ପାଣି ପାଇଁ ଡହଳବିକଳ ହୋଇପଡୁଛନ୍ତି ।