ଖଣି ଅଞ୍ଚଳବାସୀଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ଅଚଳ ଜଳ ଯୋଗାଣ ପ୍ରକଳ୍ପ, ଚୂଆ ମେଂଟାଉଛି ଶୋଷ ।

171

କନକ ବ୍ୟୁରୋ : ଖଣି ଅଂଚଳବାସୀଙ୍କୁ ମିଳୁନି ବିଶୁଦ୍ଧ ପିଇବା ପାଣି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀଜ ଜଳ ଯୋଗାଣ ପ୍ରକଳ୍ପ କାମରେ ଆସୁନାହିଁ । ଲୋକଙ୍କ ଶୋଷ ମେଂଟାଉଛି ଚୂଆ ପାଣି ।

ପ୍ରକଳ୍ପ ଅଛି, ପାଣି ନାହିଁ । ଶୋଷିଲା ଖଣି ଅଂଚଳ । ଜଳ ଯୋଗାଣ ପ୍ରକଳ୍ପ ଅଛି, ପାଣି ଟାଙ୍କି ବି ଅଛି । ଲୋକଙ୍କ ପାଖରେ ପିଇବା ପାଣି ପହଂଚାଇବା ପାଇଁ ଷ୍ଟାଂଡ ପୋଷ୍ଟ କରାଯାଇଛି । କିନ୍ତୁ ଶୋଷ ମେଂଟାଇବା ପାଇଁ ବର୍ଷକ ବାରମାସ ଏହି ଚୂଆ ହିଁ ଭରସା । ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଖଣି ଅଂଚଳ ଭାବେ ପରିଚିତ ଯୋଡା ବ୍ଲକ ଜାମୁପାଣି ଗ୍ରାମବାସୀ । ଡିଏମଏଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଜଳ ଯୋଗାଣ ପ୍ରକଳ୍ପ ହୋଇଛି । ହେଲେ ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ବାଧ୍ୟ ହୋଇ ଚୂଆ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ।

ଜାମୁପାଣି ଗାଁର ଦୁଇ ପଟେ ରହିଛି ଖଣି । ୨ଟି ସାହିର ଶତାଧିକ ଲୋକ ଏହି ଖଣିରେ କାମ କରି ପରିବାର ଚଳାନ୍ତି । ଗାଁରେ ଥିବା ନଳକୂଅରୁ ଗୋଳିଆ ପାଣି ବାହାରୁଥିବାରୁ ଡିଏମଏଫ ଦ୍ୱାରା ବସିଥିବା ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରିଥିଲେ ଲୋକେ । ହେଲେ ପ୍ରକଳ୍ପ ବି ଲୋକଙ୍କ କାମରେ ଆସୁନି । ସେପଟେ ପ୍ରକଳ୍ପ କିପରି ଖଣି ଅଂଚଳର ଲୋକଙ୍କ କାମରେ ଆସିବ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଯୋଡା ବିଡିଓ । ଜିଲ୍ଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଖଣି ଅଂଚଳର ବିକାଶ ପାଇଁ ଖର୍ଚ୍ଚ ହେଉଛି । ହେଲେ ସେଗୁଡିକ ଯେ ଲୋକଙ୍କ କାମରେ ଆସୁନି ତାର ଏକ ଜ୍ୱଳନ୍ତ ଉଦାହରଣ ଜାମୁପାଣିର ଜଳ ଯୋଗାଣ ପ୍ରକଳ୍ପ ।