ଶୋଷିଲା ସମୁଦ୍ର କୂଳିଆ ଗ୍ରାମବାସୀ । ଗାଁରେ ପହଞ୍ଚି ପାରୁନାହିଁ ଆବଶ୍ୟକ ପରିମାଣର ପାଇପ୍ ପାଣି । ଜଳ ଯନ୍ତ୍ରଣା ଭୋଗୁଛନ୍ତି ଅସ୍ତରଙ୍ଗର ୩୦ ହଜାର ଲୋକ ।

111

କନକ ବ୍ୟୁରୋ : ପିଇବା ପାଣି ସଙ୍କଟ ଦୂର କରିପାରୁନି ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ । ବର୍ଷ ବର୍ଷ ଧରି ଜଳକଷ୍ଟ ଭୋଗୁଛନ୍ତି ଅସ୍ତରଙ୍ଗ ବ୍ଳକର ୭ଟି ସମୁଦ୍ର କୂଳିଆ ପଞ୍ଚାୟତବାସୀ । ୩୦ ହଜାର ଲୋକଙ୍କ ପିଇବା ପାଣି ସଂକଟ ଦୂର କରିବା ପାଇଁ ୨୦୦୫ରୁ ରାଜ୍ୟର ସର୍ବବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଛି । ପ୍ରାଚୀ ନଦୀରୁ ପାଣି ଉଠାଇ ବିଶୋଧନ କରି ଯୋଗାଇ ଦିଆଯାଇଛି । ହେଲେ ପିଇବା ପାଣି ସମୁଦ୍ର କୂଳିଆ ଗାଁରେ ପହଂଚିପାରୁନାହିଁ, ଫଳରେ ଜଳ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ଆଉ ପାଣି ପାଇଁ ପ୍ରତି ଗାଁରେ ଉତ୍ତେଜନା ପ୍ରକାଶ ପାଉଛି ।

ଶୋଷିଲା ସମୁଦ୍ର କୂଳିଆ ଗ୍ରାମବାସୀ । ଗାଁରେ ପହଂଚି ପାରୁନାହିଁ ଆବଶ୍ୟକ ପରିମାଣର ପାଇପ ପାଣି । ପୁରୀ ଅସ୍ତରଙ୍ଗ ବ୍ଳକର ୭ଟି ପଂଚାୟତର ୩୦ ହଜାର ଲୋକ ଜଳ ଯନ୍ତ୍ରଣା ଭୋଗୁଛନ୍ତି । ଅସ୍ତରଙ୍ଗ ବ୍ଳକର ଡମଶୁଣ ଓ ନାନପୁର ଗାଁରେ ପାଇପ ଯୋଗେ ପାଣି ଯୋଗାଇ ଦିଆଯାଉଛି । ହେଲେ ପାଣି ଧିରେ ଧିରେ ଆସୁଛି । ପାଣି ଟ୍ୟାପ୍ ପାଖରେ ଅଂଟାଏ ଗାତ ଖୋଳି କଂସା କଂସା କରି ପାଣି ସଂଗ୍ରହ କରୁଛନ୍ତି ମହିଳା । ଏଥିପାଇଁ ପାଟିତୁଣ୍ଡ ବି ହେଉଛି, ଘରେ ଘରେ ବିବାଦ ଲାଗିଥିବା ବେଳେ ଅସ୍ତରଙ୍ଗ ଥାନାରେ ୫୦ରୁ ଅଧିକ ମାମଲା ହୋଇଛି ।

ସମୁଦ୍ର କୂଳିଆ ଗାଁରେ ଜଳ ସମସ୍ୟା ଦୂର କରିବା ପାଇଁ ୨୦୦୫ ମସିହାରୁ ଜଳ ଯୋଗାଣ ପ୍ରକଳ୍ପ କାମ କରୁଛି, କିନ୍ତୁ ସେଥିରେ ଶୋଷ ମେଂଟୁନି । ଝାଡଲିଙ୍ଗ ପଂଚାୟତରେ ଜଳ କଷ୍ଟ ଦୂର କରିବା ପାଇଁ ଦେବୀନଦୀ ଉପର ମୁଣ୍ଡରେ ୫ କୋଟି ଟଙ୍କାର ବ୍ୟୟ ବରାଦରେ ଆଉ ଏକ ମେଗା ଜଳ ଯୋଗାଣ ପ୍ରକଳ୍ପ କରାଯିବ । ତେବେ ନିକଟରେ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାର ଶୁଭ ଦେଇଛନ୍ତି ।

ଖରା ଦିନେ ପିଇବା ପାଣି ସମସ୍ୟା ଆହୁରି ଉତ୍କଟ ହେବାର ଆଶଙ୍କା ରହିଛି । ବେଳ ଥାଉ ଥାଉ ଗ୍ରାମ୍ୟ ଜଳ ଯୋଗାଣ ପରିମଳ ବିଭାଗ ପକ୍ଷରୁ ଅନ୍ୟ ଉପାୟରେ ପାଣି ଯୋଗାଇ ଦେବାକୁ ଦାବି ହୋଇଛି ।