ନିର୍ମାଣର ୩ ବର୍ଷ ଭିତରେ ଅଚଳ ଓଭରହେଡ ଟାଙ୍କି । ଅହରହ ଟାଙ୍କିରୁ ଗଳୁଛି ପାଣି, ପ୍ରଶ୍ନ ଉଠିଲା, ୯୦ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ କାହା ସ୍ୱାର୍ଥରେ?

159

କନକ ବ୍ୟୁରୋ : ଦୁର୍ନୀତିର ଗନ୍ତାଘର ପାଲଟିଛି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଜଳ ଯୋଗାଣ ଓ ପରିମଳ ବିଭାଗ କାଯ୍ୟାଳୟ । ବିଭାଗୀୟ ଯନ୍ତ୍ରୀ ଆଉ ଠିକାଦାରଙ୍କ ମଧୁଚନ୍ଦ୍ରିକା କାରଣରୁ ଲୋକଙ୍କ କାମରେ ଆସୁନାହିଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ । ୩ ବର୍ଷ ତଳେ ଅସ୍ତରଙ୍ଗ ବ୍ଳକ ପାଟଳଦା ପଂଚାୟତର ହିରାଦେଇପୁର ଠାରେ ୯୦ ଲକ୍ଷ ଟଙ୍କାରେ ତିଆରି ହୋଇଥିବା ଓଭର ହେଡ ପାଣି ଟାଙ୍କିରୁ ଧାର ଧାର ହୋଇ ବହୁଛି ପାଣି । ଫଳରେ ଅସ୍ତରଙ୍ଗର ସମୁଦ୍ର କୁଳିଆ ଲୋକଙ୍କୁ ମିଳୁନି ବିଶୁଦ୍ଧ ପାନୀୟ ଜଳ ।

ଅସ୍ତରଙ୍ଗରେ ଜଳ ଯୋଗାଣ ପ୍ରକଳ୍ପର ବିକଳ ଚିତ୍ର । ଓଭରହେଡ ଟାଙ୍କିରୁ ଅହରହ ଗଳୁଛି ଧାର ଧାର ପାଣି । ଏଭଳି ଅଭିଯୋଗ ଆସିଛି ପୁରୀ ଅସ୍ତରଙ୍ଗ ବ୍ଲକ ପାଟଳଦା ପଂଚାୟତର ହିରାଦେଇପୁର ଗାଁରୁ । ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ଘର ପାଖରେ ଓଭର ହେଡ ଟାଙ୍କି ଅଛି, କିନ୍ତୁ ଶୋଷ ମେଂଟାଇବା ପାଇଁ କୂଅ ହିଁ ଭରସା । କାରଣ ନିମ୍ନମାନର କାମ ଯୋଗୁଁ ନିର୍ମାଣର ମାତ୍ର ୩ ବର୍ଷରେ ଅଚଳ ହୋଇଯାଇଛି ୯୦ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ । ଅହରହ ଟାଙ୍କିରୁ ଗଳୁଛି ପାଣି । ଫଳରେ ଲୋକ ବ୍ୟବହାରରେ ଆସୁନଥିବା କହିଛନ୍ତି ସ୍ଥାନୀୟ ସରପଂଚ ଓ ପଂଚାୟତ ଏସ୍.ଏମ୍ ।

ପାଣି ଟାଙ୍କି ଅଚଳ ହୋଇଯିବା ପରେ ଅସ୍ତରଙ୍ଗ ବ୍ଲକ ସମୁଦ୍ର କୂଳିଆ ପଟଳଦା, ଛୁରିଆନା, ମାଣ୍ଡୁକି ଓ କୋରଣା ପଂଚାୟତର ଲୋକେ କୁଅର ଗୋଳିଆ ପାଣିକୁ ଛାଣି ବ୍ୟବହାର କରୁଛନ୍ତି । ଆଉ ଖରାଦିନେ ଟ୍ୟାଙ୍କରରେ ପାଣି ଯୋଗାଇ ଦେଉଛି ଜଳ ଯେଗାଣ ବିଭାଗ । ତେବେ ଏହାରି ଭିତରେ କାମର ତଦାରଖ କରୁଥିବା ଅସ୍ତରଙ୍ଗ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ମନୋଜ ସେଠୀଙ୍କ ଅନ୍ୟତ୍ର ବଦଳି ହୋଇ ସାରିଛି କିନ୍ତୁ କାର୍ଯ୍ୟ ଦିଆନିଆ ହୋଇ ନଥିବାରୁ ସେ ଛୁଟିରେ ଅଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ୯୦ ଲକ୍ଷ ଟଙ୍କାର ଓଭରହେଡ୍ ଟାଙ୍କି ହୋଇଛି କାହା ସ୍ୱାର୍ଥରେ? ୩ ବର୍ଷ ହେଲା ନିର୍ମାଣ ହୋଇଥିଲେ ବି କାହିଁକି ଲାଗି ପାରୁନି କାମରେ? ଟାଙ୍କିର ଏଭଳି ନିମ୍ନମାନର ନିର୍ମାଣ ପାଇଁ ଦାୟୀ କିଏ?