କନକ ବ୍ୟୁରୋ : ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ହେଲେ ପାଣି ପ୍ରକଳ୍ପ କାର୍ଯ୍ୟରେ ହେଉଛି ଅହେତୁକ ବିଳମ୍ବ । ୨ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା, ହେଲେ ୩ ବର୍ଷ ହେଲାଣି ଅଧା ହୋଇନି ପ୍ରକଳ୍ପ କାର୍ଯ୍ୟ । ପାନୀୟ ଜଳ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କୋରାପୁଟବାସୀ । ଏପଟେ ପ୍ରକଳ୍ପ ଶୀଘ୍ର ଶେଷ ନହେଲେ ରାସ୍ତାକୁ ଓହ୍ଳାଇବାକୁ ଚେତାବନୀ ଦେଇଛି କଂଗ୍ରେସ ।
ପାଣି ପାଇଁ ଡ଼ହଳ ବିକଳ ହେଉଥିବା କୋରାପୁଟବାସୀଙ୍କ ଦୁଖଃ ଦୂର ହେବ । ୩୧୬ କୋଟି ଟଙ୍କାରେ ମୁରାନ ଡ଼୍ୟାମରେ ତିଆରି ହେବ ବୃହତ ପାନୀୟ ଜଳ ପ୍ରକଳ୍ପ । ୨ ବର୍ଷରେ କାମ ଶେଷ ହେବା ସହ ଘରେ ଘରେ ପାଣି ପହଂଚିବ । ୨୦୧୯ରେ ମୁଖ୍ୟମନ୍ତ୍ରୀ ଯେତେବେଳେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ସେତେବେଳେ ଜୟପୁର, ବୋରିଗୁମ୍ମ୍ା ଓ କୋଟପାଡ଼ ବ୍ଳକର ୫୧ ଟି ପଞ୍ଚାୟତବାସୀ ଖୁସି ହୋଇଯାଇଥିଲେ । କିନ୍ତୁ ଏହାକୁ ୩ ବର୍ଷ ପୁରିଥିଲେ ମଧ୍ୟ ଏପର୍ଯ୍ୟପ୍ତ ପ୍ରକଳ୍ପ କାର୍ଯ୍ୟ ଅଧା ମଧ୍ୟ ସରିନାହିଁ । ଏପରି ସ୍ଥଳେ ଘରକୁ କେବେ ପାଣି ଆସିବ ତାକୁ ଚାହିଁ ରହିଛନ୍ତି ଅଂଚଳବାସୀ ।
ମୁମ୍ବାଇର ଜେଏମସି ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ କାମର ଅଗ୍ରଗତି ସେହି ଅନୁସାରେ ହୋଇପାରୁ ନାହିଁ । କେଉଁଠି ପାଇପ୍ ପଡି ରହିଛି ତ କେଉଁଠି ଅଧା ପୋତା ହୋଇଛି ରହିଛି । ବୋରିଗୁମ୍ମା ବ୍ଳକର ୨୮ ଟି ପଚାଂୟତ, କୋଟପାଡ଼ ବ୍ଳକର ୧୬ ଟି ଓ ଜୟପୁର ବ୍ଳକର ୭ଟି ପଚାଂୟତବାସୀ ଏବେ ପାଣି ପାଇଁ ହଇରାଣ ହେଉଛନ୍ତି । ପିଇବା ପାଣି ପାଇଁ ଲୋକଙ୍କୁ ବହୁ ବାଟ ଚାଲିବାକୁ ପଡୁଥିଲେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଇପାରୁ ନାହାଁନ୍ତି । ଏପଟେ ଯଥାଶୀଘ୍ର କାର୍ଯ୍ୟ ଶେଷ ନ ହେଲେ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଂଗ୍ରେସ ।