ପାନୀୟ ଜଳ ପାଇଁ ଚାରିଆଡେ ଲୋକ ଡହଳବିକଳ । ବିଭିନ୍ନ ସ୍ଥାନରେ ରାସ୍ତାରୋକ, ୨ରୁ ୩ ହଜାର ଟଙ୍କାରେ ଜେନେରେଟର୍ ଲଗାଇ ଟାଙ୍କି ଭରୁଛନ୍ତି ପ୍ରଭାବିତ ।

144

କନକ ବ୍ୟୁରୋ : ରାଜଧାନୀରେ ଉତ୍କଟ ହେଲାଣି ଜଳ ସମସ୍ୟା । ବାତ୍ୟା ଫୋନିର ପ୍ରଭାବରେ ବିଜୁଳି ନଥିବାରୁ ପାଣି ପାଇଁ ଉପୁଜିଛି ହାହାକାର ସ୍ଥିତି । ଲୋକଙ୍କ ପାଖରେ ୩ ଦିନ ହେଲା ପିଇବା ପାଣି ପହଁଚି ପାରିନି । କିଛି ଲୋକ ଦୋକାନରୁ ପାଣି କିଣିକି ପିଉଛନ୍ତି । ଆଉ ବସ୍ତି ଅଂଚଳରେ ନଳକୂପ ସାଜିଛି ଲୋକଙ୍କ ଭରସା । କିଛି ସ୍ଥାନରେ ଅସନ୍ତୁଷ୍ଟ ରାଜଧାନୀ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ନଳକୂପ ଆଗରେ ଲମ୍ବା ଲାଇନ୍ । ବାଲଟି, ଗରା ଧରି ଘଂଟା ଘଂଟା ଧରି ଅପେକ୍ଷା । ପିଇବା ପାଣି ପାଇଁ ରାଜଧାନୀରେ ତିନି ଦିନ ହେଲା ଲାଗିଛି ଏମିତି ଭିଡ । ପାଣି ପାଇଁ ଡହଳ ବିକଳ ହେଉଛନ୍ତି ରାଜଧାନୀ ବାସିନ୍ଦା । ରାତି ନପାହୁଣୁ ଚିନ୍ତା ଲାଗୁଛି, ପାଣି ମୁନ୍ଦାଏ ମିଳିବ କେମିତି । ଗାଧୋଇବାକୁ ନଥିଲେ ନାହିଁ, ପିଇବାକୁ ତ ପାଣି ନିତାନ୍ତ ଜରୁରୀ । 

ପିଇବା ପାଣି ପାଇଁ ଚାରିଆଡେ ହାହାକାର ସ୍ଥିତି । ବିଜୁଳି ନଥିଲେ ନାହିଁ ପାଣି ନଥିଲେ କେମିତି ଚଳିବ । ଲାଇନ୍ ନାହିଁ, ତେଣୁ ମୋଟରରେ ପାଣି ଟାଙ୍କିକୁ ଉଠୁନି । ପିଏଚଡି ପାଣି ବି ସପ୍ଲାଏ ହେଉନି । ଏଭଳି ସ୍ଥିତିରେ ନଳକୂପ ସାଜିଛି ଏକମାତ୍ର ଭରସା । ଉତ୍କଟ ହେଲାଣି ପିଇବା ପାଣି ସମସ୍ୟା । ପାଣି ନପାଇ ଲୋକେ ତାତି ଉଠିଲେଣି । ରାସ୍ତା ଉପରକୁ ଆସିଗଲାଣି ଲୋକଙ୍କ ଅସନ୍ତୋଷ । ହାଣ୍ଡି ମାଠିଆ ଧରି ଲୋକେ ହୋହାଲ୍ଲା ବି କଲେଣି । ଅସନ୍ତୋଷ ଏଭଳି ଉଗ୍ର ହେଲାଣି ଯେ, କେତେବେଳେ କଣ ହେବ କହିହେଉନି । 

ଫୋନି ବଦଳାଇଦେଇଛି ଭୁବନେଶ୍ୱରର ଚିତ୍ର । ବିଜୁଳି କଟିଯାଇଥିବାରୁ ସ୍ମାର୍ଟ ସିଟିରେ ପିଇବାକୁ ପାଣି ନାହିଁ । କିଏ କିଏ ଜେନେରେଟର ଲଗାଇ ଟାଙ୍କି ଭରୁଛନ୍ତି । ଆଉ କିଏ ପାଣି କିଣିକି ପିଉଛି । ଗାଧୋଇବାକୁ ପୋଖରୀ ଓ ନଦୀ ଉପରେ ଭରସା କଲେଣି ରାଜଧାନୀ ବାସିନ୍ଦା । ଏଭଳି ସ୍ଥିତିରେ ଅପେକ୍ଷା କେବେ ଆସିବ ବିଜୁଳି ଆଉ ରାଜଧାନୀରେ କେବେ ସ୍ୱାଭାବିକ ହେବ ପିଇବା ପାଣି ସପ୍ଲାଏ ।