ଡିଜେଲରେ ମିଶୁଛି ପାଣି । ନିମାପଡ଼ାରୁ ଆସିଲା ସାଂଘାତିକ ଖବର ! ଗ୍ରାହକ ଦେଉଛନ୍ତି ଟଙ୍କା ହେଲେ ପାଉଛନ୍ତି ନକଲି ଜିନିଷ ।

31

କନକ ବ୍ୟୁରୋ: ଭାରତ ବଜାରରେ ଏବେ ନିଆଁ ଲାଗାଇଛି ତେଲ ଦର । ଯାହାର ବୃଦ୍ଧି ନେଇ ଆନ୍ଦୋଳନ ତେଜିବାରେ ଲାଗିଥିବାବେଳେ ଓଡିଶାରୁ ପେଟ୍ରୋଲ ପରେ ଏବେ ଡିଜେଲରେ ପାଣି ମିଶୁଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏଭଳି ଅଭିଯୋଗ ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରୁ ଆସିଛି । ଅପମିଶ୍ରିତ ଡିଜେଲକୁ ନେଇ ଗତକାଲି ରାତିରେ ନିମାପଡା ଅଞ୍ଚଳରେ ଥିବା (ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯାହାଫଳରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ଉତ୍ତେଜନା ଥମିଥିଲା ।

ଗତକାଲି ନିମାପଡ଼ା ଠାରେ ଥିବା ପାଓନିୟର (ଇଣ୍ଡିଆନ ଅଏଲ) ପେଟ୍ରୋଲ ପମ୍ପ ଅପମିଶ୍ରିତ ଡିଜେଲେ ବିକ୍ରିହେଉଥିବା ଅଭିଯୋଗ ହୋଇଥିଲା । ଏହି ଅପମିଶ୍ରିତ ତେଲକୁ ପକାଇ କିଛିବାଟ ଯିବା ପରେ ଗୋଟିଏ ଗାଡି ଖରାପ ହୋଇଯିବାରୁ ଘଟଣାକୁ ତୀବ୍ର ପ୍ରତିବାଦ କରିଥିଲେ ସ୍ଥାନୀୟ ବାସୀ । ଘଟଣା ସଂପର୍କରେ ଖବର ପାଇ ପୁଲିସ ଏବଂ ଯୋଗାଣବିଭାଗ ଅଧିକାରୀ ସେଠାରେ ପହଞ୍ଚି ୧୪ ବ୍ୟାରେଲ ଅପମିଶ୍ରିତ ତେଲକୁ ଜବତ କରିବା ସହିତ ଅଧିକ ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଇଥିବା ଜଣାପଡ଼ିଛି । ଏଥିସହିତ ଯୋଗାଣ ବିଭାଗ ପକ୍ଷରୁ ଟାଙ୍କିର ୨ଟି ଡିଜେଲ ନୋଜଲକୁ ସିଲ ମଧ୍ୟ କରାଯାଇଛି । ତେବେ ବିଳମ୍ବିତ ରାତ୍ରିରେ ଏଭଳି ଘଟଣାକୁ ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସେପଟେ ଅପମିଶ୍ରଣ କରି ତେଲ ବିକ୍ରି କରୁଥିବା ସଂପୃକ୍ତ ଟାଙ୍କି ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି ।

ଗତ କିଛି ଦିନ ତଳେ ମୁମ୍ବାଇର ଏକ ପେଟ୍ରୋଲ ପମ୍ପରୁ ପାଣି ମିଶା ପେଟ୍ରୋଲ ବିତରଣକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା । ଦେଖୁ ଦେଖୁ ଗାଡି ଚାଳକମାନେ ହାତରେ ପେଟ୍ରୋଲ ଭରା ବୋତଲ ଧରି ପହଂଚି ଯାଇଥିଲେ ଉକ୍ତ ପେଟ୍ରୋଲ ପମ୍ପରେ । ଆଉ ଘଂଟାଏ ଧରି ହଙ୍ଗାମା ଲାଗି ରହିଥିଲା । ତେବେ ଖବର ପାଇ ସେଠାରେ ଉଭୟ ପୁଲିସ ଏବଂ ସପ୍ଲାଏ କରିଥିବା ତୈଳ କଂପାନୀ ଆଇଓସି ସମେତ ମାନକ ନିର୍ଧାରଣ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ଘଟଣାର ପର୍ଦ୍ଦାଫାଶ ହୋଇଥିଲା ।