ଗାଁରେ ପାଣି ସମସ୍ୟା ଦୂର ପାଇଁ କେହି ଦେଲେନି ସାଥ୍ । ୪ ବର୍ଷ ଧରି କଷ୍ଟ କଲେ, ଏକା ଏକା ନିଜ ଜମିରେ ପୋଖରୀ ଖୋଳିଦେଲେ । ଦେଖନ୍ତୁ ୱାଟରମ୍ୟାନ୍ ଭୋଳାନାଥଙ୍କ ପ୍ରେରଣାଦାୟୀ କାହାଣୀ ।

242

କନକ ବ୍ୟୁରୋ : ଦଶଥର ମାଂଝିଙ୍କ କାହାଣୀ ଆପଣ ନିଶ୍ଚୟ ଶୁଣିଥିବେ । କେମିତି ଏକା ଏକା ବିଶାଳ ପାହାଡର ଛାତି ଚିରି ରାସ୍ତା ତିଆରି କରିଥିଲେ । ଆଉ ସେଇଥିପାଇଁ ତ ତାଙ୍କୁ ମାଉଂଟେନ ମ୍ୟାନ୍ ବୋଲି ମଧ୍ୟ କୁହାଯାଏ । ତେବେ ଆଜି ଆମେ ଆପଣଙ୍କୁ ସେମିତି ଜଣେ ବ୍ୟକ୍ତିଙ୍କୁ ଦେଖାଇବୁ, ଯିଏ ଦଶରଥ ମାଂଝିଙ୍କ କାହାଣୀ ଆଜି ମନେ ପକାଇଦେଇଛନ୍ତି । କିନ୍ତୁ ପାହାଡ ନୁହେଁ ଗାଁ ପାଇଁ ଏକା ଏକା ସେ ପୋଖରୀ ଖୋଳିଛନ୍ତି ।

ଇଏ ହେଉଛନ୍ତି ରାଂଚି ଧନବାଦର ଜଣେ ଗରିବ ଚାଷୀ ଭୋଳାନାଥ ସିଂହ । ଅଂଟା ସିନା ନଇଁ ପଡିଲାଣି କିନ୍ତୁ ସେ ଭାଙ୍ଗିପଡିନାହାନ୍ତି । ବୟସ ଆସି ତାଙ୍କୁ ୬୦ ହେଲାଣି, କିନ୍ତୁ ମନରେ ରହିଛି ଯୁବକର ଜୋସ୍ । ତେବେ ତାଙ୍କ କାରନାମା ଶୁଣିଲେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ ।

ଧନବାଦର ଏକ ଛୋଟିଆ ଗାଁରେ ଭୋଳାନାଥଙ୍କ ଘର । ତେବେ ଏହି ଗାଁରେ ବହୁତ ଦିନ ହେଲା ଜଳସମସ୍ୟା ଲାଗି ରହିଥିଲା । ଚାଷ କାମ କରିବା ତ ଦୂରର କଥା, ପିଇବା ପାଣି ଟିକିଏ ପାଇବା ପାଇଁ ମାଇଲ୍ ମାଇଲ୍ ବାଟ ଚାଲିବାକୁ ପଡେ । ତେବେ ଏହି ସମସ୍ୟାର କିଛି ସମାଧାନ ପାଇଁ ଗାଁଲୋକଙ୍କ ସହ କଥା ହୋଇଥିଲେ ଭୋଳାନାଥ । କିନ୍ତୁ ତାଙ୍କ କଥାକୁ କେହି ବି ଗମ୍ଭୀରତାର ସହ ନେଲେ ନାହିଁ । ତେଣୁ ଭଗବାନଙ୍କୁ ଭରସି ଏକା ଏକା ପୋଖରି ଖୋଳିବାକୁ ବାହାରିଲେ ଭୋଳାନାଥ ।

ତାଙ୍କ ପାଖରେ ଚାଷ କରିବା ଭଳି ଅଳ୍ପ ଜାଗା ରହିଥିଲା । ଆଉ ଏହାର ଗୋଟିଏ ଭାଗରେ ଖୋଳିବା ଆରମ୍ଭ କଲେ ଭୋଳାନାଥ । ପ୍ରତିଦିନ ସକାଳୁ ଘରୁ କଣ ଦି’ଟା ଖାଇଦେଇ ହାତରେ କୋଦାଳ ଧରି ଦିନ ତମାମ ପୋଖରି ଖୋଳିଥାନ୍ତି । ତାଙ୍କର ଏପରି କାର୍ଯ୍ୟ ଦେଖି ଘର ଲୋକଙ୍କ ସମେତ ଗାଁଲୋକମାନେ ମଧ୍ୟ ତାଙ୍କୁ ଉପହାସ କରନ୍ତି । କିନ୍ତୁ ସେ ସବୁକୁ ଆଡଆଖିରେ ଆଡେଇ ଦେଇ ନିଜ କାମରେ ଲାଗିଥାନ୍ତି ଭୋଳାନାଥ ।

୪ବର୍ଷ ୩ ମାସର ଅକ୍ଳାନ୍ତ ପରିଶ୍ରମ ପରେ ଶେଷରେ ଭୋଳାନାଥଙ୍କ ସ୍ୱପ୍ନ ସାକାର ହୋଇଥିଲା । ଆଉ ଉପହାସ କରୁଥିବା ଲୋକେ ଆଜି ତାଙ୍କର ପ୍ରଂଶସା କରୁଛନ୍ତି . ଆଖପାଖ ଅଂଚଳରେ ଚାଷ କାମଠାରୁ ଆରମ୍ଭ କରି ଘରୋଇ ବ୍ୟବହାର ପାଇଁ ମଧ୍ୟ ଏହି ଛୋଟ ପୋଖରୀରୁ ପାଣି ବ୍ୟବହାର କରୁଛନ୍ତି ଲୋକେ । ଗାଁରେ ଜଳସଙ୍କଟ ସାମାନ୍ୟ ଦୂର ହୋଇପାରିଥିବା ବେଳେ ଏବେ ପୁଣି ଏକା ଏକା ଆଉ ଏକ ପୋଖରୀ ଖୋଳିବା ଆରମ୍ଭ କରିଛନ୍ତି ଭୋଳାନାଥ । ତେବେ ତାଙ୍କ କଷ୍ଟ ଆଉ ପରିଶ୍ରମ ଶହ ଶହ ଲୋକଙ୍କୁ ଫାଇଦା ଦେଉଥିବାରୁ ସେ ଖୁସି ଅଛନ୍ତି, ଆଉ ଲୋକମାନେ ମଧ୍ୟ ତାଙ୍କର ପ୍ରଂଶସା କରୁଛନ୍ତି ।