ପାଣି ଘେରରେ ସ୍ୱାଭିମାନ ଅଂଚଳର ଏକମାତ୍ର ସ୍ୱାସ୍ଥ୍ୟକେନ୍ଦ୍ର : ବନପାଳଙ୍କ ଅଫିସ୍ ପାଲଟିଛି ଚିକିତ୍ସାଳୟ । ବିଜୁଳି ନଥିବାରୁ ମୋବାଇଲ ଆଲୁଅରେ ଚାଲିଛି ଚିକିତ୍ସା

31

କନକ ବ୍ୟୁରୋ : ମାଲକାନଗିରି ସ୍ୱାଭିମାନ ଅଂଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଏବେ ପାଣି ଘେରରେ । ଚିକିତ୍ସା ପାଇଁ ପ୍ରଶାସନ ଏକ ବନପାଳ କାର୍ଯ୍ୟାଳୟକୁ ଡାକ୍ତରଖାନା କରିଛନ୍ତି । ଚିକିତ୍ସା ସମୟରେ ବିଜୁଳି ନଥିବା ଯୋଗୁଁ ମୋବାଇଲ ଲାଇଟରେ ଚାଲିଛି ଚିକିତ୍ସା ।

 

ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗିରହିଥିବା ଫଳରେ ନଦୀ ନାଳ ମାନଙ୍କରେ ଭର୍ତ୍ତି ହୋଇ ରହିଛି ପାଣି । ଗାଁ ଗୁଡିକୁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ଗୁରୁପ୍ରିୟା ସେତୁ ଉଦଘାଟନର ଦୁଇ ମାସ ଭିତରେ ଗୁରୁପ୍ରିୟା ନଦୀ ଜଳସ୍ତର ବଢ଼ି ୧୫୧୬.୦୨ ଫୁଟ୍ କୁ ଛୁଇଁଲାଣି । ନଦୀର ଜଳସ୍ତର ବଢ଼ିବା ଫଳରେ ତଳୁଆ ସ୍ଥାନ ସ୍ୱାଭିମାନ ଅଂଚଳରେ ଥିବା ଗୋଟିଏ ମାତ୍ର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବେ ପାଣି ଘେରରେ ରହିଛି । ହସପିଟାଲ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡି ଭାଙ୍ଗୁଛି । ଯଦ୍ୱାରା ୪ଟି ପଂଚାୟତର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ହସପିଟାଲକୁ ସେହି ଅଂଚଳରୁ ସ୍ଥାନାନ୍ତରିତ କରାଯାଇ ନିକଟସ୍ଥ ବନପାଳଙ୍କ କାର୍ଯ୍ୟାଳୟରେ ଚିକିତ୍ସାର ସୁବିଧା କରାଯାଇଛି । ଏପଟେ ପୁଣି ବିଜୁଳି ପ୍ରାୟ ୧ ମାସ ଧରି ନଥିବା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ । ମୋବାଇଲ ଲାଇଟ୍ କିମ୍ବା ଦୀପ ଆଲୁଅରେ ଚାଲିଛି ଚିକିତ୍ସା ।

ଏହି ଅଂଚଳରେ ଗୋଟିଏ ମାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ଥିବା ଯୋଗୁଁ ୪ଟି ପଂଚାୟତର ଲୋକ ଏହା ଉପରେ ନିର୍ଭର କରିଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ ପ୍ରଶାସନ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଯେଉଁ ହସପିଟାଲର ବନ୍ଦୋବସ୍ତ କରାଯାଇଛି, ସେଠାରେ ଭଲ ଚିକିତ୍ସା କରାଯାଇପାରୁନାହିଁ । ହସପିଟାଲରେ ଚିକିତ୍ସା ସମ୍ବନ୍ଧିତ ଉପକରଣ ସହିତ ଔଷଧର ମଧ୍ୟ ଅଭାବ ରହିଛି । ରାତି ହେଲେ ଦୀପ ଜାଳି କିମ୍ବା ମୋବାଇଲ ଲାଇଟ୍ ରେ ରୋଗୀଙ୍କୁ ଚିକିତ୍ସା କରାଯାଉଛି । ଗର୍ଭବତୀ ମହିଳାଙ୍କୁ ସଠିକ୍ ଚିକିତ୍ସା ମିଳିପାରୁନାହିଁ । ତେବେ ସ୍ୱାଭିମାନ ଅଂଚଳର ଲୋକମାନେ ଏକ ଭଲ ସ୍ଥାନରେ ହସପିଟାଲ ନିର୍ମାଣ କଲେ ସଠିକ୍ ଚିକିତ୍ସା ପାଇପାରନ୍ତେ ।