ବାତ୍ୟା ଗଲା, ବନ୍ୟା ଆସିଲା ! ଚାଲିଗଲା ବାତ୍ୟା, ଦୁଃଖ ଦେଇଗଲା ବର୍ଷା । ଉପକୂଳର ଅନେକ ଗାଁ ଏବେ ବି ଜଳବନ୍ଦୀ, ବାଲେଶ୍ୱର ଓ ଭଦ୍ରକ ସମେତ ୪ ଜିଲ୍ଲାର ବହୁ ଗାଁରେ ପାଣି କରୁଛି କଲବଲ…

237

କନକ ବ୍ୟୁରୋ: ବିପଦ ଯେତେବେଳେ ଆସେ, ସାଙ୍ଗରେ ସାଥୀ ସହୋଦରକୁ ନେଇ ଆସେ । ଯିଏ ବି ଏକଥା କହିଛି, ହୁଏତ, ଠିକ୍ ହିଁ କହିଛି । ବାତ୍ୟା ସିନା ଚାଲିଗଲା, ସାଥିରେ ନେଇ ଆସିଥିବା ବିପଦରେ ଏବେ ବି ସନ୍ତୁଳି ହେଉଛନ୍ତି ବତ୍ୟା ପୀଡ଼ିତ । ବାତ୍ୟାରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର, ଭଦ୍ରକ ଜିଲ୍ଲାରୁ ଏବେ ଚାରିଆଡୁ ଆସୁଛି ଜଳବନ୍ଦୀର ଚିତ୍ର ।

ବାତ୍ୟା ଛାଡ଼ି ଯିବା ପରେ ଝାଟି ମାଟିର ଘର ଭାଙ୍ଗି ପଡ଼ିଛି । ଆଉ ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରି ଘର ସଜାଡ଼ୁଛନ୍ତି ବନ୍ୟା ପୀଡ଼ିତ । ରାସ୍ତା ଘାଟରେ ପାଣି ଜମି ରହିଥିବାରୁ ଜୀବନ ଯାତ୍ରା ବ୍ୟାପକ ଭାବରେ ବାଧାପ୍ରାପ୍ତ ହୋଇଛି । ଏପରି କେତେକ ସ୍ଥାନରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନଷ୍ଟ ହୋଇଥିବା ବେଳେ ଚାଷ କ୍ଷତିଗ୍ରସ୍ତ ହୋଇଛି । ବାଲେଶ୍ୱର ସୋର ଅଂଚଳରେ ୨୦ଟି ଗାଁର ପାଖାପାଖି ୫ଶହ ପରିବାର ପାଣି ଘେରରେ ରହିଛନ୍ତି ।

ବାତ୍ୟା ଯାଇଛି, ବନ୍ୟା ଆସିଛି । ଆଉ ଏହାରି ଭିତରେ କେଉଁଠି ଘାଇ ଭାଙ୍ଗିଛି, ତ ଆଉ କେଉଁଠି ଅତଡ଼ା ଖସିଛି । ଯାଜପୁର ଦଶରଥପୁର ବ୍ଲକର ଦତପୁରଠାରେ ହୋଇଥିବା ନୂତନ ବନ୍ଧରୁ ଖସୁଛି ଅତଡ଼ା । ବୈତରଣୀର ଅର୍ଦ୍ଧାଉଳିଆ, ଦିହୁଡ଼ିସାହି ଓ କାଣୀର କଂଟାପଡ଼ା ଠାରେ ମଧ୍ୟ ଅତଡ଼ା ଖସୁଛି । ମଲ୍ଲିକାପୁର ଆଦର୍ଶ ସ୍କୁଲ ପାଣି ଘେରରେ ରହିଛି । କାଣୀ ନଦୀ ମଲ୍ଲିକାପୁର-ପଲାସାହି ମଝିରେ ଥିବା ପୋଲ ଉପରେ ପାଣି ଚାଲିଛି ।

ଯାଜପୁର ଜିଲ୍ଲା କୋରେଇ ବ୍ଲକର ରଣପୁର, ମୁକୁନ୍ଦପୁର, ବନ୍ଦାଳ, ଗୌରପୁର ଆଦି ୪ଟି ପଂଚାୟତର ୫ଟି ଗାଁରେ ପଶିଛି ବନ୍ୟାପାଣି । ଜନବସତି ଆଡ଼କୁ ମାଡ଼ି ଆସିଥିବା ପାଣି ଯୋଗୁଁ ଏବେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବତ୍ୟା ପବରର୍ତୀ ବନ୍ୟା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବଢ଼ିଛି ।

ଆଖୁଆପଦା ନିକଟରେ ଜଳସ୍ତର ଧିରେ ଧିରେ କମୁଥିଲେ ମଧ୍ୟ ଭଣ୍ଡରୀ ପୋଖରୀ ବ୍ଲକ କନ୍ତିଘାଇ ଦେଇ ବନ୍ୟା ପାଣି ପଶିବା ଦ୍ୱାରା ୭ଟି ପଂଚାୟତର ଚାଷଜମି ନଷ୍ଟ ହୋଇପଡ଼ିଛି । ଭଣ୍ଡାରିପୋଖରି ସରୋଦା ପୋଲ ଉପରେ ଦୁଇ ଫୁଟ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଭଣ୍ଡାରୀପୋଖରି ଯାଜପୁର ଯୋଗାଯୋଗ ବିଛିନ୍ନ ହୋଇଛି । ଫଳରେ ଆଖପାଖ ଅଂଚଳର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଅନେକ ଗାଁରେ ସ୍ପଷ୍ଟ ବାରି ହେଉଛି ବିପର୍ଯ୍ୟୟର ଚିତ୍ର । ଚାଷ ଜମିରେ ପାଣି ଜମି ରହିଛି, ବିଦ୍ୟୁତ ଖୁଂଟ, ବଡବଡ ଗଛ ଉପୁଡି ପଡିବା ସହିତ ଘର ମଧ୍ୟ ଭାଙ୍ଗିଯାଇଛି । ବ୍ଲକର ଉପକୁଳ ବର୍ତି ରାମନଗର, ଖରିନାସି, ବତୀଘର, ଜମ୍ମୁ, ଲାଂଜୁଡା ଏବଂ ଗଗୁଆ ପଂଚାୟତରେ ଜୁଆର ପାଣି ବ୍ୟାପକ କ୍ଷୟକ୍ଷତି କରିଛି । ନଦୀର ଜୁଆର ପାଣି ଉଠିଆସି ଚାଷ ଜମି ଏବଂ ଜନବସତି ଅଂଚଳକୁ ପ୍ରବେଶକରି ରାସ୍ତାଘାଟ ସବୁ ଜଳାର୍ନବ ହୋଇଯାଇଛି । ଯୁଆଡେ ଦେଖିବ ଖାଲି ପାଣି ଆଉ ପାଣି…