କନକ ବ୍ୟୁରୋ: ଭୁବନେଶ୍ୱରରେ ଛେଚିଲା ବର୍ଷା । ଅଧ ଘଂଟାର ବର୍ଷାରେ ଜଳମଗ୍ନ ହେଲା ରାଜଧାନୀର ଅଧା ଅଂଚଳ । ରାସ୍ତାରେ ଲହଡି ଭାଂଗିଲା ବର୍ଷା ପାଣି । ଚାଲିଲା ଅଂଟାଏ ଉଚର ପାଣି । ସୃଷ୍ଟି ହେଲା ଜଳାଶୟର ଭ୍ରମ । ଅପରାହ୍ନରେ ଘୋଟି ଆସିଲା ମେଘ । ହଠାତ ବର୍ଷିଲା ଯେ, ସାରା ରାଜଧାନୀରେ ଖାଲି ପାଣି ହିଁ ପାଣି ଦେଖାଗଲା । ଅଧା ଘଂଟାର ବର୍ଷାରେ ଜଳ ମଗ୍ନ ହୋଇଗଲା ଅଧା ରାଜଧାନୀ ।

Advertisment

ଲକ୍ଷ୍ମୀ ସାଗର
ରାସ୍ତା ଉପରେ ଚାଲୁଛି ଅଂଟାଏ ଉଚ୍ଚର ପାଣି । ଗାଡିର ହ୍ୟାଣ୍ଡଲ ଛାଡିଦେଲେ ଆଉ ବାକି ତକ ପାଣି ଭିତରେ ପୁରା ବୁଡିଯାଇଛି । ଗାଡି ଚାଳକ ଗାଡିକୁ ସମ୍ଭାଳିବାରେ ବ୍ୟସ୍ତ ।

ଲକ୍ଷ୍ମୀ ସାଗର
ଘର ଭିତରେ ପାଣି । ମାତ୍ର ଅସରାଏ ବର୍ଷାରେ ଘର ଭିତରେ ଲହଡି ଭାଂଗିଥିଲା ବର୍ଷା ପାଣି । ଅଚାନକ ପାଣି ପଶିଯିବାରୁ ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ଭାସିଥିଲା ।

ଇସ୍କନ ମନ୍ଦିର ଛକ
ସବୁଥର ଭଳି ଏଥର ବି ଇସ୍କନ ମନ୍ଦିର ଛକରେ ଆଣ୍ଠୁଏ ଉଚ୍ଚର ପାଣି ବହିଥିଲା । ମୁଖ୍ୟ ରାସ୍ତା ହୋଇଥିବାରୁ ସେହି ବାଟ ଦେଇ ଯାଉଥିବା ଲୋକ ପାଣିରେ ଫସିଥିଲେ । ପାଣି ଅଧିକ ଥିବାରୁ ଗାଡି ଆଗକୁ ଗଡିବା କଷ୍ଟକର ହୋଇପଡିଥିଲା । ଆଉ ଯାତାୟତ ହେଲା ବାଧାପ୍ରାପ୍ତା ହୋଇଥିଲା ।

ରସୁଲଗଡ ଛକ
ରସୁଲଗଡ ଅଂଚଳରେ ଦୃଶ୍ୟ ଆହୁରି ଭୟଙ୍କର ଥିଲା । ଏସପ୍ଲାନଡେ ମଲ ସମ୍ମୁଖ ରାସ୍ତାରେ କୁତ୍ରିମ ନଦୀର ଭ୍ରମ ସୃଷ୍ଟି କରିଥିଲା ବର୍ଷା ଜଳ ।

ସତ୍ୟନଗର
ରାସ୍ତା ଉପରେ ପାଣି । ଗାଡି ଚାଳକ ଭୋଗିଲେ ସମସ୍ୟା । ଘର ଭିତରକୁ ପସିଲା ନାଳ ପାଣି ।

ରାଜଧାନୀରେ ପ୍ରାୟ ଅଧଘଂଟା ବର୍ଷାରେ ସବୁଆଡେ ପାଣି ଜମିଥିବା ବେଳେ ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ ବିଜୟ କୁଲାଙ୍ଗେ । ଯୁଦ୍ଧକାଳୀନ ଭିତିରେ ସବୁ ଡ୍ରେନ କାମ ସାରିବାକୁ ନିଷ୍ପତି ନିଆଯାଇଛି ଏବଂ ୱାଟର ଲଗିଙ୍ଗ ଅଂଚଳ ଉପରେ ନଜର ରହିଥିବା କହିଛନ୍ତି ବିଏମସି କମିଶନର । ସମସ୍ୟାର ସମାଧାନ ପାଇଁ ବୈଷୟିକ ଟିମ ଓ ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇଛି ବୋଲି ବିଏମସି କମିଶନର ବିଜୟ କୁଲାଙ୍ଗେ କହିଛନ୍ତି ।

ଲଘୁଚାପ ପ୍ରଭାବରେ ଆଗାମୀ ୮ତାରିଖ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଅସରାଏ ବର୍ଷାରେ ଯଦି ଏଭଳି ସ୍ଥିତି ସୃଷ୍ଟି ହୋଇଛି, ଆଗକୁ ଅଧିକ ବର୍ଷା ହେଲେ କଣ ହେବ, ସେ ନେଇ ଚିନ୍ତାରେ ପଡିଛନ୍ତି ରାଜଧାନୀବାସୀ ।