ବର୍ଷା ଯୋଗୁଁ ବୁଡିଲା ଧାନ ବିଲ । ନିମାପଡା, ରାଜନଗରରେ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ, ନବରଙ୍ଗପୁରର ରାଜରାସ୍ତା ଉପରେ ୨ ଫୁଟର ପାଣି, ଏସଆରସି କହିଲେ, ବନ୍ୟା ଭୟ ନାହିଁ ।

137

କନକ ବ୍ୟୁରୋ: ଚଳିତବର୍ଷ ଅନିୟମୀତତା ବର୍ଷା ଯୋଗୁଁ ଚଳିତ ବର୍ଷ ଧାନ ଚାଷ ପ୍ରଭାବିତ ହୋଇପାରେ । ଚାଷ ଆରମ୍ଭରୁ ସ୍ୱଳ୍ପ ବର୍ଷା ଆଉ ଏବେ ଅତ୍ୟଧିକ ବର୍ଷା, ଚାଷକୁ ଧୋଇ ଦେବାର ଆଶଙ୍କ କରିଛନ୍ତି ପୁରୀ ନିମାପଡ଼ା କୃଷି ଜିଲ୍ଳାର ଚାଷୀ । ଜମିରେ ଭର୍ତି ହୋଇଛି ବର୍ଷା ପାଣି । ଶ୍ରାବଣରେ ବର୍ଷା ନଥିବା ବେଳେ ଭାଦ୍ରବ ଆରମ୍ଭରୁ ପ୍ରବଳ ବର୍ଷା ଯୋଗୁଁ ଧାନ ଜମିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୩ ଦିନ ପରେ ବି ପୁରୀ ଜିଲ୍ଲା ନିମାପଡା ଅଂଚଳର ଖାଲୁଆ ଜମିରେ ଆଣ୍ଠୁଏ ଉଚ୍ଚରେ ଜମି ରହିଛି । ଫଳରେ ଧାନ ଗଛ ସଢି ଯିବାର ଆଶଙ୍କା ରହିଛି । ଚଳିତ ବର୍ଷ ନିମାପଡ଼ା କୃଷି ଜିଲ୍ଲାର ୧୯ ହଜାର ୫୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ଶ୍ରାବଣରେ ବର୍ଷା ନହେବାରୁ ବୋରିଂ ସାହାଯ୍ୟରେ ଚାଷୀ ଚାଷ କରିଥିଲେ । ହେଲେ ଏବେ ଲଗାଣ ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି ।

କେବେ କମ ପୁଣି କେବେ ଅଧିକ
ଚାଷୀଙ୍କ ପାଇଁ ବର୍ଷା ବିପଦ

ଅଗଷ୍ଟ ପ୍ରଥମ ସପ୍ତାହରେ ବର୍ଷା ଅଭାବରୁ ଚାଷ କାମ ଆଗେଇପାରୁନଥିଲା । ଏବେ କିନ୍ତୁ ଲଗାଣ ବର୍ଷାରେ ଚାଷ ଜମିରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଛି । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଯୋଗୁଁ ରାଜନଗରର ଚାଷ ଜମିରେ ବନ୍ୟା ଜମି ରହିଛି । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ନିଷ୍କାସନ ବାଟ ବନ୍ଦ ହୋଇଯାଇଥିବାରୁ ରୁଆ ଧାନ ନଷ୍ଟ ହୋଇଯିବା ଆଶଙ୍କ କରିଛନ୍ତି ରାଜନଗର ଅଂଚଳର ଚାଷୀ ।

ଘରେ ପଶିଲା ବର୍ଷା ପାଣି
ରାଜରାସ୍ତରେ ବହିଲା ବର୍ଷା ପାଣି

ଲଗାଣ ବର୍ଷା ବୁଡି ଯାଇଛି ନବରଙ୍ଗପୁରର ରାଜରାସ୍ତା । ସପ୍ତାହେରୁ ଅଧିକ ସମୟ ଧରି ବର୍ଷା ଯୋଗୁଁ ସହରରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜପଥରେ ଦୁଇ ଫୁଟର ପାଣି ବହୁଥିବା ବେଳେ ସହରରେ ପ୍ରମୁଖ ନାଳଗୁଡିକରେ ବର୍ଷା ଜଳ ଭର୍ତି ହୋଇଯାଇଛି । ଫଳରେ ବିଭିନ୍ନ ସାହିରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଲୋକେ ଆସବାବପତ୍ରକୁ ସୁରକ୍ଷିତ ସ୍ଥାନରେ ରଖି ଘରୁ ପାଣି ବୁହାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ଇନ୍ଦ୍ରାବତୀ ନଦୀରେ ଜଳସ୍ତର ବଢୁଥିବା ଦେଖି ଲୋକଙ୍କ ମନରେ ଭୟ ବଢୁଛି ।

ଲଗାଣ ବର୍ଷା ଯୋଗୁ ଢେଙ୍କାନାଳରେ ମଧ୍ୟ ଲୋକେ ନାକେଦମ ହୋଇଛନ୍ତି । ବଡଜୋର ନାଳ ଓ ରେଂଗାଳି କେନାଲରେ ପ୍ରବଳ ପାଣି ଆସିବାରୁ ତଳିଆ ଅଂଚଳରେ ଜଳବନ୍ଦୀ ଜୀବନ ବଂଚୁଛନ୍ତି । ଓଡାପଡା ବ୍ଲକ ଓ ବଳରାମପ୍ରସାଦ ଗାଁର ତଳି ସାହି ଓ ସିରିଡି ଗାଁର ପ୍ରାୟ ହଜାରେ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

ବର୍ଷାରେ ବେହାଲ ବୌଦ୍ଧ
ପାଣି ଘେରରେ ଚାଷ ଜମି

କିଛି ଦିନର ଲଗାଣ ବର୍ଷାରେ ବୌଦ୍ଧ ବି ବେହାଲ । ବର୍ଷା ଯୋଗୁଁ ସଦର ବ୍ଲକ ରକ୍ସା ପଂଚାୟତରେ ବନ୍ୟା ପରିସ୍ଥିତି ଉପୁଜିଛି । ରାସ୍ତା ଉପରେ ୫ ଫୁଟର ପାଣି ପ୍ରବାହିତ ହେବାରୁ ୧୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଫଳରେ ଜାମ୍ବୁ ନାଳରେ ପାଣି ଆସିବାରୁ ଲୋକେ ଯାତାୟତରେ ସମସ୍ୟା ଭୋଗୁଛନ୍ତି । ଏହାସହ ହେକ୍ଟର ହେକ୍ଟର ଜମି ମଧ୍ୟ ଜଳମଗ୍ନ ହୋଇ ରହିଛି । ଚଳିତ ଖରିଫ ଋତୁରେ ଅନିୟମୀତତା ବର୍ଷା ଯୋଗୁଁ ଧାନ ଚାଷ ପ୍ରଭାବିତ ହୋଇଥିବା ବେଳେ ତଳି ଅଂଚଳରେ ଲୋକଙ୍କ ଘରେ ପାଣି ପଶିଯାଇଥିବା ଖବର ଆସିଛି ।