ଚମୋଲି ସ୍ଥିତ ଋଷିଗଙ୍ଗାରେ ଅଚାନକ ବଢୁଛି ଜଳସ୍ତର । ପ୍ରଶାସନ ତରଫରୁ ସତର୍କ ସୂଚନା ଜାରି । ଟର୍ନେଲ ଭିତରେ ପାଣି ପଶିଯିବାରୁ ଉଦ୍ଧାର କାର୍ଯ୍ୟ ଠପ୍

135

କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚାମୋଲି ସ୍ଥିତ ରାଣୀ ଗାଁରେ ଗୁରୁବାର ପୁଣି ପାଣିର ସ୍ତର ବଢିଥିବା ଦେଖିବାକୁ ମିଳିଛି । ଋଷିଗଙ୍ଗା ନଦୀର ଜଳସ୍ତର ହଠାତ୍ ବଢିଯିବା କାରଣରୁ ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କୁ ଉଚ୍ଚ ସ୍ଥାନକୁ ପଳାଇଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଟର୍ନେଲ ଭିତରେ ଚାଲିଥିବା ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିଦେଇଛି ପ୍ରଶାସନ । ଏହାସହ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଯନ୍ତ୍ରପାତିକୁ ପ୍ରଶାସନ ଉଚ୍ଚ ସ୍ଥାନକୁ ନେଇଯାଉଥିବା ଦେଖିବାକୁ ମିଳିଛି ।
କିଛିଦିନ ପୂର୍ବରୁ ଚମୋଲି ଠାରେ ହିମସ୍କଳନ ହେବା ଫଳରେ ଅଚାନକ୍ ବନ୍ୟା ଆସିଯାଇଥିଲା । ଯାହା ଫଳରେ ୩୫ ଉର୍ଦ୍ଧ ଲୋକଙ୍କର ଜୀବନ ଯିବା ସହ ୧୫୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଥିବା ରାଜ୍ୟ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ନିଖୋଜ ଲୋକଙ୍କୁ ଉଦ୍ଧାର କାର୍ଯ୍ୟା ଚାଲିଥିବା ବେଳେ ପୁଣି ଆଜି ହଠାତ୍ ଜଳସ୍ତର ବଢିବା ପରେ ବିପଦ ଦେଖା ଦେଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଆଜି ଜଳସ୍ତର ବଢୁଥିବା ଦେଖିବା ପରେ ପ୍ରଶାସନ ପକ୍ଷରୁ ପାଖା ପାଖି ୨୦୦ ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାରଙ୍କ ସୂଚନା ମୁତାବକ ତପୋବନରେ ହାଇ ଆଲର୍ଟ ଜାରି କରାଯାଇଛି । ଯେଉଁଠାରେ ଉଦ୍ଧାର କାର୍ଯ୍ୟ ଚାଲୁଥିଲା ସେଠାରୁ ଉଦ୍ଧାକାରୀଦଳ ସହ ସ୍ଥାନୀୟ ବାସିନ୍ଦା ଓ ଯନ୍ତ୍ରପାତି ସବୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ରାଣୀ ଗାଁରେ ଏନଡିଆରଫ୍ ଟିମ ନିୟୋଜିତ ଅଛନ୍ତି ।