ସୁବର୍ଣ୍ଣରେଖାରେ କମିଲା ଜଳସ୍ତର, ଟଳିଲା ବନ୍ୟା ବିପଦ : ରାଜଘାଟ ନିକଟରେ ବିପଦ ସଂକେତ ତଳେ ବହୁଛି ବନ୍ୟା ପାଣି

116

କନକ ବ୍ୟୁରୋ : ସୁବର୍ଣ୍ଣରେଖାରେ କମିଲା ଜଳସ୍ତର, ଟଳିଲା ବନ୍ୟା ବିପଦ । ରାଜଘାଟ ନିକଟରେ ବିପଦ ସଂକେତ ତଳେ ବହୁଛି ବନ୍ୟା ପାଣି । ବନ୍ୟା ପ୍ରକୋପରୁ ବର୍ତିଗଲା ବାଲେଶ୍ୱର, ଭୋଗରାଇ, ଜଳେଶ୍ୱର ବ୍ଲକର ଶତାଧିକ ଗାଁ ।ବାତ୍ୟା ୟାସ ପ୍ରଭାବରେ ଗତ ୩ଦିନ ଧରି ଝାଡ଼ଖଣ୍ଡ ଏବଂ ମୟୂରଭଂଜରେ ପ୍ରବଳ ବର୍ଷା ହୋଇଥିଲା । ଯାହା ପାଇଁ ବାଲେଶ୍ୱର ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଥିଲା ।

ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ଗତକାଲି ୩ଲକ୍ଷ କ୍ୟୁସେକ ପାଣି ନିଷ୍କାସନ କରାଯିବା ଫଳରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇଛି । ସୁବର୍ଣ୍ଣରେଖା ନଦୀର ରାଜଘାଟ ନିକଟରେ ବିପଦ ସଂକେତ ୧୦ ଦଶମିକ ୩୬ ମିଟର ଥିବା ବେଳେ ଜଳସ୍ତଳ ଏବେ ୮ ଦଶମିକ ୯୬ ମିଟରରେ ପ୍ରବାହିତ ହେଉଛି । ହେଲେ ଗତକାଲି ରାତି ଗୋଟାଲ ସମୟରେ ଜଳସ୍ତର ବଢ଼ି ୯ ଦଶମିକ ୩୪ ମିଟର ଥିଲା । ଏହା ପରଠାରୁ ଜଳସ୍ତର କମିବାରେ ଲାଗିଛି ।

ଯଦି ନଦୀର ଜଳସ୍ତର ବଢ଼ିଥାନ୍ତା ତେବେ ବାଲେଶ୍ୱର, ଭୋଗରାଇ, ଜଳେଶ୍ୱର ବ୍ଲକର ଶତାଧିକ ଗାଁରେ ବନ୍ୟା ପାଣି ମାଡ଼ିଯିବାର ଆଶଙ୍କା ଥିଲା । ବଢ଼ୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଂଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ସତର୍କ କରାଯାଇଥିଲା । ମାତ୍ର ଜଳସ୍ତର କମୁଥିବାରୁ ବନ୍ୟା ନଆସିବାର ଆଶଙ୍କା କରାଯାଉଛି ।