କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି । ବିଶେଷକରି ବ୍ରାହ୍ମଣୀ , ବୈତରଣୀ, ଦେବୀ, କୁଶଭଦ୍ରା, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ରୁଷିକୂଲ୍ୟା , ଜଳକା ଓ ମହାନଦୀର ନଦୀର ଜଳସ୍ତର ବୃଦ୍ଧି ପାଉଛି । ଜେନାପୁରରେ ବ୍ରାହ୍ମଣୀ ନଦୀର ସତର୍କ ସଂକେତ ୨୨ ମିଟର ଥିବାବେଳେ ଏଠାରେ ୨୨ ଦଶମିକ ୬୩ ମିଟର ଉପରେ ଜଳ ପ୍ରବାହିତ ହେଉଛି ।
ସେହିପରି, ଆଖୁଆପଦା ନିକଟରେ ବୈତରଣୀ ନଦୀର ବିପଦ ସଂକେତ ୧୭ ଦଶମିକ ୮୩ ମିଟର ଥିବାବେଳେ ସେଠାରେ ୧୮ ଦଶମିକ ୩୪ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଛି । ବଂଶଧାରା ନଦୀର କାଶୀନଗର ନିକଟରେ ସତର୍କ ସଂକେତ ୫୩ଦଶମିକ ୬୦ ଫୁଟ ଥିବାବେଳେ ୫୪ ଦଶମିକ ୦୬ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ମଥାନୀ ନିକଟରେ ଜଳକାର ବିପଦ ସଂକେତ ଉପରେ ଜଳସ୍ତର ରହିଛି । ମଥାନୀରେ ବିପଦ ସଂକେତ ୫ଦଶମିକ ୫ମିଟର ରହିଥିବାବେଳେ ୬ଦଶମିକ ୪୧ ମିଟର ଉପରେ ଜଳକାର ଜଳ ପ୍ରବାହିତ ହେଉଛି ।
ମହାନଦୀର ଜଳସ୍ତର ବି ଫୁଲିବାରେ ଲାଗିଛି । ନରାଜ ନିକଟରେ ସତର୍କ ସଂକେତ ୨୫ ଦଶମିକ ୪୧ ମିଟର ରହିଥିବାବେଳେ ୨୫ଦଶମିକ ୧୬ ମିଟର ଉପରେ ପ୍ରବାହିତ ହେଉଛି ମହାନଦୀ ଜଳ । ଉପରେ ମୁଣ୍ଡରେ ହୀରାକୁଦର ଗେଟ ଖୋଲିବା, ମହାନଦୀ ଉପରମୁଣ୍ଡରେ ବର୍ଷା ଜାରି ରହିବା ଓ ବରମୁଳ ଏବଂ ନରାଜ ନିକଟରେ ଜଳପ୍ରବାହ ବଢିଚାଲିଛି । ଏଥିସହ ପାଣିପାଗର ପୂର୍ବାନୁମାନ ସଙ୍କେତ ଦେଉଛି, ମହାନଦୀ ଅବବାହିକାରେ ବନ୍ୟା ଆସିବାର ସମ୍ଭାବନା ରହିଛି । ତେବେ ବନ୍ୟା ଆଶଙ୍କା ନଥିଲେ ବି ମହାନଦୀ ଉପରେ ନଜର ରଖିଥିବା ଏସଆରସି ସୂଚନା ଦେଇଛନ୍ତି ।