ପାଣି କମିଛି…ଦୁର୍ଦ୍ଦଶା କମିନି । ବନ୍ୟା ଜଳରେ ଆଉଟୁ ପାଉଟୁ ହେଉଛନ୍ତି ପ୍ରଭାବିତ, ଏବେ ବି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା ।

491

କନକ ବ୍ୟୁରୋ : ନଦୀରୁ ଜଳସ୍ତର ଖସୁଛି ହେଲେ ବନ୍ୟା ବିପନ୍ନଙ୍କ ଦୁଃଖ ବଢିଯାଇଛି  । ଏବେବି ଗାଁ ଦାଣ୍ଡରେ ବନ୍ୟା ଜଳର ସୁଅ ଛୁଟୁଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଶହ ଶହ ଗାଁ । କିଛି ଗାଁରେ ବନ୍ୟା ଜଳ ଛାଡିଯାଇଛି ଦୁର୍ଦ୍ଦଶାର ବିକଳ ଚିତ୍ର ।

ଦାଉ ସାଜିଛି ବନ୍ୟା ଜଳ । ନଦୀରୁ ଜଳସ୍ତର କମୁଥିଲେ ମଧ୍ୟ ଏବେବି ଅନେକ ଗାଁରୁ ଖସିନି ବନ୍ୟା ପାଣି  । ବନ୍ୟା ଜଳରେ ଆଉଟୁ ପାଉଟୁ ହେଉଛନ୍ତି ପ୍ରଭାବିତ । ଏକପ୍ରକାର ଅସହାୟ, ଦୁଃଖ ଓ ଦୁର୍ଦ୍ଦଶା ଭିତରେ ରହିବାକୁ ବାଧ୍ୟ ହୋଇଛନ୍ତି ବନ୍ୟା ବିପନ୍ନ ।

ଏବେ ବି ଗାଁ ଦାଣ୍ଡରେ ଚାଲୁଛି ଡଙ୍ଗା । ଚଳିତ ବର୍ଷର ବନ୍ୟା ସମ୍ମୁଖରେ ଅସହାୟ ହୋଇପଡିଛନ୍ତି ବନ୍ୟା ପ୍ରଭାବିତ । କେବଳ ପିଣ୍ଡା ଉପରେ ବସି କେବେ ଗାଁ ଦାଣ୍ଡରୁ ପାଣି ଖସିବ ତାକୁ ଚାହିଁ ରହିଛନ୍ତି  । ନିମାପଡା ବ୍ଲକ ବାମନାଳ ପଂଚାୟତର ନିନିଗାଁରେ ଧନୁଆ ନଦୀର ବନ୍ୟା ଜଳ ପଶିବାର ୬ ଦିନ ପରେ ମଧ୍ୟ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଡଙ୍ଗାରେ ୨କିଲୋମିଟର ଆସିବା ପରେ ଗାଁକୁ ଯିବା ସମ୍ଭବ ହେଉଛି ।

ଉପରମୁଣ୍ଡ ପାଣି ଛାଡ଼ିଥିଲେ ମଧ୍ୟ ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ ବନ୍ୟା ପରିସ୍ଥିତିର ଭୟାଭୟତା ଏବେବି ଲାଗିରହିଛି । ଚଳିତବର୍ଷ ଧନୁଆ ନଦୀରେ ଆସିଥିବା ବନ୍ୟା ଯୋଗୁଁ ନିମାପଡ଼ା ବ୍ଲକର ପ୍ରାୟ ୧୫ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟା ପାଣି ଆସିବାର ୬ ଦିନ ପରେ ମଧ୍ୟ ଅଲଣ୍ଡା ଗ୍ରାମପଂଚାୟତରେ ଚିଙ୍ଗୁଡ଼ିଆକା ଗାଁରୁ ଖସିନି ପାଣି । ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବନ୍ୟା ଜଳ ।

ଧନୁଆ ନଦୀରେ ବନ୍ୟା ଯୋଗୁଁ ଗୋପ ବ୍ଲକର ବିଭିନ୍ନ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ  ହୋଇ ରହିଛି । ନୂଆଖୋଲମରା, ରଂହାଗୋରଡା, ଡଭାରା, ଅଣ୍ଡରା, ଗଣେଶପୁର, ନାଗପୁର ପଂଚାୟତର ଏକାଧିକ ଗାଁ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଶତାଧିକ ପରିବାର ପାଣିଘେରରେ ଥିବାବେଳେ ଶହ ଶହ ଏକର ଚାଷଜମି ଜଳମଗ୍ନ ହୋଇଛି । ଅନ୍ୟପଟେ ଗାଁକୁ ପାଣି ନ ପଶିବା ପାଇଁ ବିପନ୍ନ ଲୋକେ ରାତି ତମାମ ବାଲି ବସ୍ତା ରଖି ବନ୍ଧ ଜଗୁଛନ୍ତି ।

ଯାଜପୁର ରସୁଲପୁର ବ୍ଲକରୁ ଏବେ ବନ୍ୟା ଜଳ ଛାଡି ଯାଇଛି । ହେଲେ ଛାଡି ଯାଇଛି ବିକଳ ଚିତ୍ର । ଦେଇ ଯାଇଛି କେବଳ ଦୁଃଖ ଆଉ ଯନ୍ତ୍ରଣା । ବନ୍ୟା ଆସିବା ପୂର୍ବରୁ ବନ୍ଧଡିହ ପଂଚାୟତର ବନ୍ଧସାହିର ଏହି ସ୍ଥାନରେ ଛିଡା ହୋଇଥିଲା ରମଣୀ ରଂଜନ ଜେନାଙ୍କର ଦୁଇ ମହଲା କୋଠା  । ହେଲେ ବନ୍ୟା ଜଳର ପ୍ରଖର ସ୍ରୋତରେ ଭାଙ୍ଗି ଯାଇଛି । ଏବେ ପଡିଛି କେବଳ ଭଙ୍ଗା କଂକ୍ରିଟ । ଏହି ଗାଁରେ ରହୁଥିବା ଏକାଧିକ ଲୋକଙ୍କ ଘର ଏବେ ମାଟିରେ ମିଶି ଯାଇଛି ।

ବନ୍ୟା କେବଳ ବାସ ଉଜାଡିନି । ଝାଳ ବୁହାଇ ଚାଷ କରିଥିବା ଫସଲକୁ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି  । କଟକ ଜିଲ୍ଲା ନିଆଳି ବ୍ଲକ କୃଷ୍ଣପ୍ରସାଦ ପଂଚାୟତ ଅଂଚଳରେ ଦୀର୍ଘ ସପ୍ତାହେ ହେବ ପାଣିରେ ବୁଡି ରହିବା ପରେ ସବୁ ଫସଲ ପଚି ସଢ଼ି ନଷ୍ଟ ହୋଇଯାଇଛି । ନଦୀର ଜଳସ୍ତର କମିବା ପରେ ଧୀରେ ଧିରେ ବନ୍ୟା ପ୍ରଭାବିତ ଅଂଚଳରୁ ଖସିବାରେ ଲାଗିଛି ବନ୍ୟା ଜଳ । ହେଲେ ପାଣି ଛାଡିବା ପରେ ବଢ଼ି ଯାଇଛି ଲୋକଙ୍କ ଦୁର୍ଦ୍ଦଶା ।