ଗତବର୍ଷ ଥିଲା ବନ୍ୟା ପରିସ୍ଥିତି, ହୀରାକୁଦ ଖୋଲିଥିଲା ୪୬ ଗେଟ୍ । ଏବର୍ଷ ସବୁ ଗେଟ୍ ବନ୍ଦ, ପ୍ରାୟ ୧୧ ଫୁଟ ତଳେ ରହିଛି ଜଳଭଣ୍ଡାରର ଜଳସ୍ତର ।

190

କନକ ବ୍ୟୁରୋ: ରାଜ୍ୟରେ ଚଳିତ ବର୍ଷ ନଅଣ୍ଟିଆ ବର୍ଷା ପ୍ରଭାବ ଦେଖିବାକୁ ମିଳିଛି ମହାନଦୀରେ । ଫଳରେ ହୀରାକୁଦ ଜଳଭଣ୍ଡାରର ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଜଳସ୍ତର ବହୁ ପରିମାଣରେ କମିଛି । ଗତ ବର୍ଷ ଆଜିର ଦିନରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୨୬.୫୬ ଫୁଟ ଥିବାବେଳେ ଚଳିତ ବର୍ଷ ୧୧.୧୫ ଫୁଟ ରହିଛି । ଅର୍ଥାତ୍ ଚଳିତ ବର୍ଷ ଜଳସ୍ତର ରହିଛି ୬୧୯.୪୧ ଫୁଟ ।

ସେହିପରି ଗତ ବର୍ଷ ତୁଳନାରେ ଜଳପ୍ରବେଶ ବହୁ ପରିମାଣରେ କମିଛି । ଗତବର୍ଷ ଏହି ସମୟରେ ୭ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ ହେଉଥିବା ବେଳେ ଚଳିତ ବର୍ଷ ପ୍ରବେଶ କରୁଛି ମାତ୍ର ୩୮ ହଜାର କ୍ୟୁସେକ ଜଳ । ଜଳପ୍ରବାହ ଅଧିକ ରହିଥିବା ଯୋଗୁ ଗତ ବର୍ଷ ଏହି ସମୟରେ ୪୬ଟି ଗେଟ୍ ଖୋଲା ରହିଥିବା ବେଳେ ଏବେ ହୀରାକୁଦ ଡ୍ୟାମର ସମସ୍ତ ଗେଟ ବନ୍ଦ ରହିଛି ।

ହୀରାକୁଦ ଜଳଭଣ୍ଡାରର ଜଳପ୍ରବାହ କମିବାର ମୁଖ୍ୟ କାରଣ ହେଉଛି ନିଅଣ୍ଟିଆ ବର୍ଷା । ଅଗଷ୍ଟ ମାସରେ ଯେଉଁ ଭଳି ବର୍ଷା ହେବା କଥା ସେହି ଧରଣର ବର୍ଷା ମହାନଦୀ ଉପରମୁଣ୍ଡରେ ଦେଖାଯାଇନାହିଁ । ମୋଟ ଉପରେ ଦେଖିବାକୁ ଗଲେ ରାଜ୍ୟରେ ଚଳିତ ବର୍ଷ ୨୯ ପ୍ରତିଶତ କମ ବର୍ଷା ହୋଇଛି । ଫଳରେ ମହାନଦୀରେ ଏଭଳି ସ୍ଥିତି ଉପୁଜିଛି । ତେବେ ଆଗକୁ ବର୍ଷା ନହେଲେ ହୀରାକୁଦ ଡ୍ୟାମ ପୂର୍ଣ ଜଳଧାରଣା କ୍ଷମତା ଛୁଇଁବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।