ହୀରାକୁଦରେ କମୁଛି ଜଳପ୍ରବେଶ । ଡ୍ୟାମରେ ସମୁଦ୍ରର ଭ୍ରମ, ମୁଣ୍ଡଳିରେ ପହଁଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ : ନରାଜରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ପାଣି

128

କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରର ଖୋଲିଛି ୪୬ଟି ଗେଟ୍ । ତେବେ ଉପରମୁଣ୍ଡରେ ବର୍ଷା କମିବା ପରେ ପରେ ଜଳଭଣ୍ଡାରକୁ କମ୍ ହୋଇଛି ଜଳପ୍ରବେଶ । ଆଜି ଭୋର୍ ୪ଟା ସମୟରେ ମିଳିଥିବା ତଥ୍ୟ ଅନୁସାରେ ଜଳଭଣ୍ଡାରକୁ ଜଳ ପ୍ରବେଶ କମ୍ ହେଉଛି । ଏହି ଧାରା ଆଗକୁ ଆହୁରି କମିବ । ଫଳରେ ଡ୍ୟାମକୁ ଜଳପ୍ରବେଶ ପରିମାଣ କମିବା ପରେ ଜଳ ଭଣ୍ଡାର ଜଳସ୍ତର କମିବା ସଂଭାବନା ସୃଷ୍ଟି ହୋଇଛି । ଫଳରେ ମୁଣ୍ଡଳିରେ ଏବେ ଆସନ୍ତାକାଲି ପୂର୍ବାହ୍ନ ଯାଏଁ ପ୍ରାୟ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରତି ସେକେଣ୍ଡରେ ପ୍ରବାହିିତ ହେବ । ଏନେଇ ସୂଚନା ଦେଇଛନ୍ତି ଏସଆରସି ।

ବର୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୭.୯୭ ଫୁଟ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୮ ଲକ୍ଷ ୩ ହଜାର ୧୩୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଏହି ଜଳପ୍ରବେଶ ହାରରେ ଧୀରେ ଧୀରେ ହ୍ରାସ ଦେଖିବାକୁ ମିଳୁଛି । ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରରୁ ୭ ଲକ୍ଷ ୬୫ ହଜାର ୧୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମର ବାମ ପଟେ ୩୧ଟି ଓ ଡାହାଣା ପଟେ ୧୫ଟି ଗେଟ୍ କୁ ମିଶାଇ ମୋଟ୍ ୪୬ଟି ଗେଟ୍ ଖୋଲିଛି । ସ୍ପିଲ୍ୱେରେ ବର୍ତମାନ ୭ ଲକ୍ଷ ୪୪ ହଜାର ୨୪୮ କ୍ୟୁସେକ୍ ଜଳ ଯାଉଛି । ରେଙ୍ଗାଳି ଡ୍ୟାମରେ ସକାଳ ୮ଟାରେ ଗୋଟିଏ ଗେଟ୍ ବନ୍ଦ କରାଯାଇଛି । ରେଙ୍ଗାଳି ଜଳଭଣ୍ଡାରରେ ଜଳସ୍ତର ୧୨୩.୪୯ ମିଟର ରହିଛି । ପଶ୍ଚିମ ଓଡିଶାରେ ଆଜି ପାଗ ଖରାଟିଆ ରହିଛି । ହୀରାକୁଦ ଡ୍ୟାମର ଜଳସ୍ତର ଖସିବା ପରେ ପରେ ହୀରାକୁଦ ପଛୁଆ ପାଣି ଦ୍ୱାରା ପ୍ରଭାବିତ ଅଂଚଳରୁ ବି ପାଣି ଖସୁଛି । ଝାରସୁଗୁଡାର ୬ଟି ଗାଁ ଚିିକିଲି, ସୁଖଦୋଦା, ମୁହୁଦି, ସାରଦା, ସେମିଳିଆ ଏବଂ ମହୁଲପାଲି ହୀରାକୁଦ ପଛୁଆ ପାଣି ଯୋଗୁଁ କ୍ଷତି ଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି । ଏହି ଗ୍ରାମ ଗୁଡିକରୁ ୧ ହଜାର ୪୯ ଜଣ ଲୋକଙ୍କୁ ୬ଟି ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।