ଘରେ ପାଣି, ନଦୀ ବନ୍ଧରେ ଲୋକ। ଜରିପାଲ ତଳେ ବିତୁଛି ଜୀବନ।

37

କନକ ବ୍ୟୁରୋ: ଘରେ ପାଣି ପଶିଯିବାରୁ ଦିନରାତି ଲୋକ ନଦୀବନ୍ଧ ଉପରେ ଜୀବନ ବିତାଉଛନ୍ତି ଲୋକ । ପୁରୀ ଜିଲ୍ଲା ପିପିଲି ବ୍ଲକ ଉତରାସ୍ଥିତ ଫୁବା ଶାସନର ଏହି ଦୃଶ୍ୟ ସାମ୍ନାକୁ ଆସୁଛି । ଦୟାନଦୀର ପାଣି ଘରେ ପଶିଯିବା ପରେ ଜୀବନ ବିକଳରେ ବନ୍ଧ ଉପରକୁ ଚାଲିଆସିଥିଲେ ପ୍ରାୟ ୨୦ଟି ପରିବାରର ୨୦୦ ଲୋକ ।

ଏକ ବିଂଶ ଶତାବ୍ଦୀରେ ବି କାହିଁକି ଲୋକ ନଦୀବନ୍ଧ ଉପରେ ଆଶ୍ରୟ ନେବେ । କାହିିଁକି ସେମାନଙ୍କୁ ସୁରକ୍ଷିତ ଘର ଘଣ୍ଡିଏ ଯୋଗାଇ ଦିଆଯିବନାହିଁ । ଯେଉଁଠି ନଥିବ ବନ୍ୟା କିମ୍ବା ବାତ୍ୟାର ଭୟ । ସ୍ୱାଧୀନତାର ୭୫ ବର୍ଷ ପାଳିଲାବେଳେ ଏହି କଥାଟି ଆମକୁ ଆନ୍ଦୋଳିତ କରିଥିଲା । ଆଉ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲା ସ୍ଥାନୀୟ ପ୍ରଶାସନ ।

ଏ କେବଳ ଗୋଟିଏ ଅଞ୍ଚଳ ଥିଲା । କିନ୍ତୁ ଆମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ଗଲାବେଳେ ବିଭିନ୍ନ ସ୍ଥାନରୁ ଏହିଭଳି ଚିତ୍ର ସବୁ କ୍ୟାମେରା ସାମ୍ନାକୁ ଆସୁଛି । ଜଗତସିଂହପୁର ତିର୍ତୋଲରେ ମହାନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି ୩୦ରୁ ଅଧିକ ପରିବାର । ସେମାନଙ୍କ ଘରେ ପାଣି ପଶିଯିବା ପରେ ଗତ ରବିବାରଠାରୁ ରାତିଦିନ ନଈବନ୍ଧ ଉପରେ ଅସ୍ଥାୟୀ କୁଡିଆ କରି ଏମିତି ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି ।

ସେହି ଜଗତସିଂପୁର ଜିଲ୍ଲାର ଆହୁରି ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ମଣିଜଙ୍ଗା ଅଞ୍ଚଳର ଲୋକ ଏକ କେନାଲ ବନ୍ଧକୁ ଚାଲିଆସିଛନ୍ତି । ଦୁର୍ଭାଗ୍ୟର କଥା ହେଉଛି ନଈ କୂଳିଆ ଅଞ୍ଚଳର ଲୋକଙ୍କୁ ପ୍ରାକୃତିକ ଦୁର୍ବିପାକ ସମୟରେ ସୁରକ୍ଷିତ ସ୍ଥାନାନ୍ତର ପାଇଁ ସରକାର ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ତିଆରି କରିଛନ୍ତି । ତଥାପି ନଦୀବନ୍ଧ ଉପରେ ଏଭଳି ଶହଶହ ଲୋକ ରହିବା ସରକାରୀ ସୁବିଧା ଉପରେ ଏକ ବିରାଟ ପ୍ରଶ୍ନଚିହ୍ନ ଛିଡା କରିଛି ।