କନକ ବ୍ୟୁରୋ : ଲଘୁଚାପ ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ଜଳେଶ୍ଵର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁରେ ପାଣି ପଶି ଯାଇଛି । ଚାଷ ଜମିରେ ୮ରୁ ୧୦ ଫୁଟର ପାଣି ଠିଆ ହୋଇଛି । ରୁଆ ଧାନ ପଚି ଯିବାର ଆଶଙ୍କା ରହିଛି । ପାଣି ନିସ୍କାସନ ପାଇଁ ସଠିକ ବ୍ୟବସ୍ଥା ହୋଇନଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି ।
ଚାରିଆଡ଼େ ପାଣି ଆଉ ପାଣି । ରାତି ଅଧିରେ ଘରେ ପଶିଯାଇଛି ବର୍ଷା ପାଣି । ସ୍ଥିତି ଏଭଳି ହୋଇଛି ଯେ, ଚାଷ ଜମି କିଏ, ନଦୀ କିଏ ଜଣାପଡୁନାହିଁ । ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଜଳେଶ୍ଵର ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନାମ୍ପୋ ପଞ୍ଚାୟତର ଦେଉଳବାର୍ଡ, ଜୋତିଜଙ୍ଗମ ଓ ତିଲାପଟା ଗାଁ ସମ୍ପୂର୍ଣ୍ଣ ଜଳବନ୍ଦି ହୋଇ ରହିଛି । ଶହେରୁ ଉର୍ଦ୍ଧ ପରିବାର ପାଣି ଘେରରେ ରହିଛନ୍ତି ।
ଦେଉଳବାର୍ଡ ଗାଁର ଆଦିବାସୀ ସାହି, ତିଲାପଟାର ଆଦିବାସୀ ସହି ଓ ଜୋତିଜଙ୍ଗମର ହରିଜନ ସାହି ଅଧିକ ପ୍ରଭାବିତ ହୋଇଛି । ଘରେ ପାଣି ପଶି ଯିବାରୁ ଧାନ ଚାଉଳ, ଆସବାବପତ୍ର ଓଦା ହୋଇଯାଇଛି । ଲୋକଙ୍କୁ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତର କରି ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ତହସିଲଦାର । ସେପଟେ ଧାନ ବିଲରେ ୮ରୁ ୧୦ ଫୁଟ ଉଚ୍ଚ ବର୍ଷା ଜଳ ଲହଡ଼ି ମାରୁଛି । ଆରୁହା, ଅଲାଲପୁର, ବାଣୀଦା, ସମେତ ନାମ୍ପୋ ପଞ୍ଚାୟତର ହେକ୍ଟର ହେକ୍ଟର ଜମିରେ ଧାନ ତଳି ପଚି ଯିବାର ସମ୍ଭାବନା ରହିଛି ।
ବର୍ଷା ପାଣି ନିସ୍କାସନରେ ବାଧା ସୃଷ୍ଟି କରିଛି ଆରଡି ରାସ୍ତା । ପୂର୍ବରୁ ବର୍ଷା ପାଣି ନିସ୍କାସନ ହେଉଥିଲା । ଆରୁହା ଠାରୁ ନାମ୍ପ ପର୍ଯ୍ୟନ୍ତ ରାସ୍ତା ହେବା ପରେ ଜଳ ନିସ୍କାସନ ପାଇଁ ସଠିକ ବ୍ୟବସ୍ଥା ହୋଇନଥିବାରୁ ସ୍ଥିତି ବିଗିଡ଼ି ଯାଇଛି ।