କନକ ବ୍ୟୁରୋ: ଖରା ବଢ଼ିବା ସହ ଉକ୍ରଟ ହେଉଛି ଜଳ ସମସ୍ୟା । ଅନୁଗୁଳୁୁ ମହୀଧରପୁର ଗାଁରେ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲକ୍ଷାଧିକ ଟଙ୍କା ବ୍ୟୟରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ଷ୍ଟାଣ୍ଡପୋଷ୍ଟ ତିଆରି ହୋଇଛି । ହେଲେ ଲୋକଙ୍କୁ ମିଳୁନି ପିଇବା ପାଣି । ଗ୍ରାମବାସୀଙ୍କ ଜଳ ସମସ୍ୟା ଦୂର କରିବା ପାଇଁ ପ୍ରଥମେ ୨୦୦୬ରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ପ୍ରତି ସାହିରେ ମାଟିତଳେ ପାଇପ ବିଛାଯାଇଥିବା ବେଳେ ଲୋକଙ୍କ ଘର ଆଗରେ ବସିଛି ପାଣି ଟ୍ୟାପ୍ । ହେଲେ ଦୁଃଖର କଥା ପ୍ରକଳ୍ପ ଆରମ୍ଭ ଦିନରୁ ଲୋକଙ୍କୁ ଟୋପାଏ ହେଲେ ପାଣି ମିଳିନାହିଁ । ପ୍ରଥମରୁ ଯୋଜନା ଫେଲ ମାରିଥିବା ବେଳେ ୨୦୧୮ ମସିହାରେ ୮୬ ଲକ୍ଷ ଟଙ୍କା ବ୍ୟୟରେ ବସୁଧା ଯୋଜନାର ଶୁଭାରମ୍ଭ ହୋଇଥିଲା ।

Advertisment

୨୦୨୧ରୁ ପ୍ରକଳ୍ପ କାମ ଶେଷ ହୋଇଥିଲେ ମଧ୍ୟ ଲୋକଙ୍କୁ ବସୁଧା ଯୋଜନାରେ ମଧ୍ୟ ପାଣି ମିଳୁନାହିଁ । ଏବେ ଟ୍ୟାଙ୍କର ପାଣି ଉପରେ ଭରସା କରୁଛନ୍ତି ଲୋକେ । ଅନେକ ସମୟରେ ଗାଁ ନିକଟରେ ଥିବା ନାଳରୁ ଦୂଷିତ ପାଣି ସଂଗ୍ରହ କରି ପିଇବାକୁ ପଡ଼ୁଛି । ଗାଁରେ ଥିବା ନଦୀ, ପୋଖରୀ ଶୁଖିଲା ପଡ଼ିଥିବା ବେଳେ ୪୦୦ରୁ ୫୦୦ ଟଙ୍କା ଦେଇ ଟ୍ୟାଙ୍କର ଯୋଗେ ପାଣି କିଣିକି ପିଉଛନ୍ତି । ଅର୍ଥ ଅଭାବରୁ ଅନେକ ଲୋକ ଗାଁ ନିଟକରେ ଥିବା ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି ।