ବେଙ୍ଗାଲୁରୁରେ ପାଣି ପାଇଁ ହା ହା କାର । ଗାଧୋଇବା ପାଇଁ ଅଧା ବାଲଟି, ଘର ପୋଛିବାକୁ ବର୍ଜ୍ୟ ପାଣି ଉପରେ ନିର୍ଭର

215

କନକ ବ୍ୟୁରୋ : ଖରାଦିନ ଆରମ୍ଭରୁ ହିଁ ବେଙ୍ଗାଲୁର ପାଇଁ ଆସିଛି ସମସ୍ୟା । ସହରର ଅଧିକାଂଶ ସ୍ଥାନରେ ପାଣିର ଅଭାବକୁ ନେଇ ହାହା କାର । ଗଳିକନ୍ଦିଠୁ ନେଇ ବଡ ବଡ ବିଲଡିଂର ଟ୍ୟାପରୁ ଆସୁନି ପାଣି । ସେପଟେ ପାନୀୟଜଳ ଅଭାବରେ ମଧ୍ୟ ହନ୍ତସନ୍ତ ଲୋକେ । ସାଧାରଣ ଲୋକଙ୍କଠୁ ନେଇ ନେତା,ମନ୍ତ୍ରୀ ଏବେ ପାଣି ଅଭାବ ଦେଇ ଗତି କରୁଛନ୍ତି । ସେପଟେ ସରକାରଙ୍କ ଦ୍ୱାରା ପାଣି ଟ୍ୟାଙ୍କରେ ପାନୀୟ ଜଳ ଯୋଗାଯାଉଛି । ଯାହାକୁ ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ପାଣିର ଅପବ୍ୟହାରକୁ ରୋକିବା ପାଇଁ ଫାଇନ କଟକଣା ଲଗାଯାଇଛି । କିଛି ସ୍ଥାନରେ ହାଉସିଂ ସୋସାଇଟି ୫ହଜାର ଟଙ୍କା ଫାଇନ ଲଗାଇଥବା ଜଣାପଡିଛି । ଜଳକଷ୍ଟର ସମାଧାନ ପାଇଁ ବିଭିନ୍ନ ପ୍ରୟାସ ଜାରି ରହିଥିଲେ ମଧ୍ୟ ଲୋକଙ୍କୁ ତତ୍କାଳ ସହାୟତା ମିଳିବାରେ ସମସ୍ୟା ଲାଗି ରହୁଥିବାରୁ ବିଭିନ୍ନ ଅଂଚଳରେ ଜଟିଳ ସ୍ଥିତି ଉପୁଜିଛି । ସହରର ପ୍ରାୟ ୬୦ ପ୍ରତିଶତ ଲୋକ ଏବେ ଟ୍ୟାଙ୍କର ପାଣି ବ୍ୟବହାର କରୁଛନ୍ତି । କେତେକ ଅଂଚଳରେ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଲୋକେ ବହୁ କଷ୍ଟରେ ଦୂରରୁ ଜଳ ସଂଗ୍ରହ କରି କାମ ଚଳାଉଛନ୍ତି । ଅନେକ ଲୋକ ଗାଧୋଇବା ପାଇଁ ମାତ୍ର ଅଧା ବାଲ୍ଟି ପାଣି ପାଉଥିବା ବେଳେ ଘର ପୋଛିବା ପାଇଁ ବର୍ଜ୍ୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତୀମାନଙ୍କ ବାସଭବନରେ ମଧ୍ୟ ଜଳାଭାବ ଦେଖାଦେଇଛି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଇଥିଲା ।